କରୋନାର ଆକ୍ରମଣରେ ଆମେରିକା ଅବସ୍ଥା ଅସମ୍ଭାଳ । ସଂକ୍ରମିତ ସଂଖ୍ୟାରେ ଚୀନ ଇଟାଲିକୁ ଟପିଲା ଆମେରିକା, ସହାୟତା ପାଇଁ ଚୀନ ରାଷ୍ଟ୍ରପତିଙ୍କ ସହ କଥାହେଲେ ଡୋନାଲ୍ଡ ଟ୍ରମ୍ପ ।

13,845

କନକ ବ୍ୟୁରୋ: ସୁପର ପାୱାର ଆମେରିକା ଏବେ କରୋନା ସଂକ୍ରମଣ ମାମଲେ ଚୀନ ଓ ଇଟାଲିକୁ ଟପି ଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଭିନ୍ନ ଦାବି ସତ୍ୱେ ଏହି ମହାମାରୀ ଭୁତାଣୁକୁ ନିୟନ୍ତ୍ରଣକୁ ଆଣିପାରି ନାହିଁ ଆମେରିକା । କରୋନା ମହାମାରୀ ଏବେ ଜଙ୍ଗଲର ନିଆଁ ଭଳି ପୁରା ଆମେରିକାକୁ ସଂକ୍ରମିତ କରିବାକୁ ବସିଲାଣି । ଏବେ କରୋନା ସଂକ୍ରମିତ ଦେଶ ତାଲିକାର ଶୀର୍ଷରେ ରହିଛି ଆମେରିକା । ଶୁକ୍ରବାର ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫ ହଜାର ୬୧୨କୁ ଛୁଇଁଛି ଓ ମୃତ୍ୟୁ ସଂଖ୍ୟା ୧୩୦୧ରେ ପହଂଚିଛି । ଏହାପଛକୁ ଦ୍ୱିତୀୟ ସ୍ଥାନରେ ରହିଛି କରୋନାର ଉତ୍ପତିସ୍ଥଳ ଚୀନ । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୩୪୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ୨୯୨ । ତୃତୀୟ ସ୍ଥାନରେ ଥିବା ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ୫୮୯ ଓ ମୃତ୍ୟୁ ସଂଖ୍ୟା ୮ହଜାର ୨୧୫ରେ ପହଂଚିଛି ।

ପୂର୍ବରୁ ଆମେରିକାର ବୈଜ୍ଞାନିକମାନେ ଭବିଷ୍ୟବାଣୀ କରି କହିଥିଲେ ଆମେରିକା ଏହି ମାରାତ୍ମକ ଭୂତାଣୁର କେନ୍ଦ୍ରସ୍ଥଳ ହୋଇପାରେ । ଯାହା ସତ ପ୍ରମାଣିତ ହୋଇଛି । କରୋନା ଭୂତାଣୁକୁ କାବୁ କରିପାରୁନଥିବାର ସୁପରପାୱାର ଆମେରିକାର ପୋଲ ଖୋଲିଯାଇଛି । ଏହାଛଡା ୩୩ କୋଟି ଜନସଂଖ୍ୟା ଥିବା ଆମେରିକାରେ ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶଙ୍କା ମଧ୍ୟ ରହିଛି ।

ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ମାମଲାରେ ଇଟାଲୀ ଓ ଚୀନ ଠାରୁ ଯଥେଷ୍ଟ କମ ରହିଛି । ଗୁରୁବାର କେବଳ ନ୍ୟୁୟର୍କରେ ୧୦୦ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ନ୍ୟୁୟର୍କରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୫କୁ ଛଇଁଲାଣି । ସେହିପରି ୮୫ ହଜାର ପଜିଟିଭ ମଧ୍ୟରୁ କେବଳ ୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ନ୍ୟୁୟର୍କର କନଭେନ ସେଂଟରକୁ କରୋନା ହସ୍ପିଟାଲ କରାଯାଇଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ବେଡ ନାହିଁ । ତେବେ ୱାଂଶିଟନର ସ୍ୱାସ୍ଥ୍ୟସେବା ଭିତିଭୂମୀ କରୋନା ମୁକାବିଲାରେ ବାଧକ ସାଜୁଥିବା କହିଛନ୍ତି, ନ୍ୟୁୟର୍କ ଗଭର୍ଣ୍ଣର ଏଣ୍ଡୁ କାଓମେ ।

ସ୍ୱାସ୍ଥ୍ୟସେବାକୁ ନେଇ ଟ୍ରମ୍ପ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟୁୟର୍କ ଗଭର୍ଣ୍ଣର । କହିଛନ୍ତି ଡାକ୍ତର ଅଭାବ ଯୋଗୁଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଯାଉଛି । ସେହିପରି ନ୍ୟୁୟର୍କରେ ୩ହଜାର ଭେଂଟିଲେଟର ଦରକାର ଥିବା ବେଳେ ମିଳିଛି ୪ଶହ ଭେଂଟିଲେଟର । ଅର୍ଥାତ ୨୬ ଶହ ବ୍ୟକ୍ତିଙ୍କୁ କଣ ମରିବାକୁ ଛାଡି ଦିଆଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆମେରିକାରେ କରୋନା ସଂକ୍ରମଣ ମାମଲାକୁ ଆଖିରେ ରଖି ୧୫ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଲକଡାଉନ ହଟାଇ ନୂଆ ନିର୍ଦ୍ଦେଶନାମ ଜାରି କରିବେ ବୋଲି କହିଥିଲେ ଡୋନାଲ୍ଡ ଟ୍ରମ୍ପ । ସେହିପରି କରୋନାକୁ ଚୀନ ଭାଇରସ କହୁଥିବା ଆମେରିକା ରାଷ୍ଟ୍ରପତିଙ୍କ ସ୍ୱର ଏବେ ନରମ ପଡିଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସହ ଫୋନରେ ଆଲୋଚନା ପରେ ଟ୍ୱିଟ୍ କରି ଟ୍ରମ୍ପ ଲେଖିଛନ୍ତି, ଭୂତାଣୁର ଲ କ୍ଷଣକୁ ବୁଝିବାରେ ସମର୍ଥ ହୋଇପାରିଛି ଚୀନ । ଆଗକୁ ମିଳିତ ଭାବେ କରୋନା ବିରୋଧରେ ଲଢିବା । ମୁଁ ଏହାକୁ ସମ୍ମାନ କରେ ।