ପୁଲିସ ବାଲା ଗୁଣ୍ଡା ! ମଦ ପିଇ ସାମ୍ବାଦିକଙ୍କୁ କରିଥିଲେ ଆକ୍ରମଣ, ରାତାରାତି ହୋଇଗଲା ବଦଳି

42

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ପୁଲିସ୍ ବାବୁଙ୍କ ଦବଙ୍ଗଗିରି । କ୍ୟାପିଟାଲ ହସ୍ପିଟାଲ ଭିତରେ ସାମ୍ବାଦିକ, ନର୍ସ ଏବଂ ରୋଗୀଙ୍କ ଉପରେ ଆକ୍ରମଣ କରିଥିବା ତାଳବଣିଆ ଆଇଆଇସିଙ୍କୁ ରାତାରାତି ବଦଳି କରାଯାଇଛି । ଏପଟେ ଥାନା ବାବୁଙ୍କ ବିରୋଧରେ ସାମ୍ବାଦିକଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଏସବୁ ଭିତରେ ପ୍ରଶ୍ନ ଉଠୁଛି, କେମିତି ହେବା ଦରକାର ଆମ ପୁଲିସ ବାବୁଙ୍କ ଆଚରଣ ଓ ଉଚ୍ଚାରଣ ।

vlcsnap-2018-01-08-21h04m43s012ହ୍ୱୁଇଲ ଚେୟାରରେ କ୍ୟାପିଟାଲ ହସ୍ପିଟାଲ ଯାଉଥିଲେ ପୁଲିସ ବାବୁ । ପଞ୍ଜରାରେ ଯନ୍ତ୍ରଣା ଯୋଗୁଁ ଆଦୌ ଠିଆ ହୋଇପାରୁ ନଥିଲେ । ହେଲେ ରାଗି ଯିବା ପରେ ଯନ୍ତ୍ରଣା ଯେମିତି କୁଆଡେ ଉଭାନ ହୋଇଯାଇଥିଲା । ଆଉ ଫିଲ୍ମି ଷ୍ଟାଇଲରେ ଷ୍ଟଂଟ୍ ଆରମ୍ଭ କରିଥିଲେ ଆମ ପୁଲିସ ବାବୁ । ଫଟୋ ଉଠାଇବାରୁ ସାମ୍ବାଦିକଙ୍କୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ଆଉ ପୋଲିସ ବାବୁଙ୍କ ଉତ୍ପାତ ଏଭଳି ଥିଲା ଯେ, ହସ୍ପିଟାଲ ଆସିଥିବା ରୋଗୀ, ନର୍ସ କେହି ବି ବାଦ୍ ପଡି ନଥିଲେ । କିଏ ଗୋଇଠା ଖାଇଛି, ତ କିଏ ମୁଥ । ତା ସାଙ୍ଗ ପୁଣି କାନକୁ ଶୁଣି ନହେଲା ଭଳି ଭାଷା ବି ଶୁଣିଛନ୍ତି । ହସ୍ପିଟାଲ ପରିସରରେ ପୁଲିସଗିରି ଦେଖାଉଥିବା ବାବୁ ଜଣକ ହେଉଛନ୍ତି ପୁରୀ ତାଳବଣିଆ ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ପାତ୍ର ।

ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ରାତରାତି ତାଙ୍କୁ ତାଳବଣିଆ ଥାନାରୁ ସ୍ଥାନାନ୍ତର କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କ ପ୍ରତି ପୋଲିସର ଏ କେମିତିକା ବ୍ୟବହାର । ପୋଲିସ ବାବୁଙ୍କ ଏଭଳି ଦାଦାଗିରି ପାଇଁ କଣ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ନୁହେଁ କି ? ତେବେ ଏ ବାବଦରେ ଅତିରିକ୍ତ ଏସପି କହିଛନ୍ତି, ଏସପି ଛୁଟିରେ ଅଛନ୍ତି ତେଣୁ ସେ ଆସିଲା ପରେ ଘଟଣାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ପୁଲିସ ବାବୁ ମାନସିକ ଚାପରେ ଥିଲେ ଏବଂ ଛାତିରେ ଯନ୍ତ୍ରଣା ଥିଲା । ଚିକିତ୍ସାରେ ବିଳମ୍ବ ହେବାରୁ ଭୟବୀତ ଥିଲେ । ସେ ଧୁମ୍ରପାନ କିମ୍ବା ମଦ୍ୟପାନ କରନ୍ତି ନାହିଁ ବୋଲି ପୁଲିସ୍ ମହାସଂଘ ସେଫଇ ଦେଇଛି । ହେଲେ ଏହି ଘଟଣା ପରେ ପୂର୍ବତନ ପୁଲିସ ଡିିଜି ସଂଜୀବ ମାରିକ କହିଛନ୍ତି-ଏଭଳି ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏପରିକି ତାଙ୍କୁ ଚାକିରିରୁ ନିଲମ୍ବନ କରିବା ଦରକାର ବୋଲି ସେ କହିଛନ୍ତି । ଏହିଭଳି ଜଣେ ଜଣେ ପୋଲିସ ଅଫିସର ପାଇଁ ପୂରା ପୋଲିସ ବିଭାଗ ବଦନାମ ହେଉଛି ବୋଲି ସେ କହିଛନ୍ତି ।

କେମିତି ହେବା ଦରକାର ପୁଲିସର ଆଚରଣ ଓ ଉଚ୍ଚାରଣ ?
ସର୍ବସାଧାରଣରେ ଏଭଳି ବ୍ୟବହାର ଗ୍ରହଣୀୟ କି ?
ମହଙ୍ଗା ପଡ଼ିଲା କି ବାବୁଙ୍କ ପୁଲିସଗିରି ?