ଶକ୍ତିମାନ ଭଳି ୩୬୦ ଡିଗ୍ରୀରେ ଘୂରି ବଲ ପକାଇଲେ ଭାରତୀୟ ବୋଲର । ତାଜୁବ ହୋଇଗଲେ ଅମ୍ପାୟାର, ଦେଖନ୍ତୁ ଭିଡିଓ

ଭାରତର ୩୬୦ ଡିଗ୍ରୀ ବୋଲରଙ୍କୁ ନେଇ ଆରମ୍ଭ ହେଲା ଟ୍ୱିଟର ୱାର

1,079

କ୍ରିକେଟ ଖେଳରେ ଏମିତି କିଛି ଖେଳାଳୀ ରହିଛନ୍ତି ଯେଉଁମାନେ ନିଜର ଭିନ୍ନ ଶୈଳୀରେ ବ୍ୟାଟିଂ ଓ ବୋଲିଂ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜଣାଶୁଣା । ଖାସକରି ଅଧିକାଂଶ ବ୍ୟାଟ୍ସମ୍ୟାନଙ୍କ ଭିନ୍ନ ଶୈଳୀରେ ବ୍ୟାଟିଂ ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ସ୍ୱିଚ୍ ହିଟ ହେଉ ଅବା ହେଲିକପ୍ଟର ସଟ୍ ଏହାକୁ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି କ୍ରିକେଟ ଫ୍ୟାନ । କିନ୍ତୁ ଏବେ ଜଣେ ବୋଲରଙ୍କ ବୋଲିଂ ଶୈଳୀ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯାହା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ମଧ୍ୟ ବୋଲିଂ କରାଯାଏ ତାହା ପ୍ରଥମ ଥର ଦେଖିବାକୁ ମିଳିଛି । କ୍ରିକେଟ ପାଗଳ ଦେଶ ଭାରତରେ ଏଭଳି ଘଟଣା ଦେଖିବାକୁ ମିଳିଛି ।


୩୬୦ ଡିଗ୍ରୀରେ ବୁଲିବା ସହ ବୋଲିଂ । ଏଭଳି ବୋଲିଂ ହୁଏତ ପୂର୍ବରୁ କେହି ଦେଖିନଥିବେ । ୨୩ ବର୍ଷରୁ କମ ସିକେ ନାଇଡୁ ଟ୍ରଫି ମ୍ୟାଚରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବେଙ୍ଗଲ ଓ ଉତ୍ତର ପ୍ରଦେଶ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ୟୁପିର ସ୍ପିନର ଶିବା ସିଂ ୩୬୦ ଡିଗ୍ରୀରେ ଘୁରିବା ସହ ବୋଲିଂ କରିଥିଲେ । ତେବେ ଶିବାଙ୍କ ଏଭଳି ବୋଲିଂ ଆକ୍ସନ ପାଇଁ ଅମ୍ପାୟର ତୁରନ୍ତ ଏହାକୁ ଡେଡ ବଲ ଘୋଷଣା କରିଥିଲେ ।

ଅମ୍ପାୟାର କାହିଁକି ଡେଡ ବଲ ଘୋଷଣା କଲେ ପଡିଆ ମଝିରେ ତାହାର କାରଣ ପଚାରିଥିଲେ ଶିବା ସିଂ । ଏପରିକି ପୂର୍ବ ମାସରେ କେରଳ ବିପକ୍ଷ ବିଜୟ ହଜାରେ ଟ୍ରଫିରେ ମଧ୍ୟ ସେ ଏଭଳି ବଲ ପକାଇଥିଲେ କିନ୍ତୁ ସେତେବେଳେ ଅମ୍ପାୟାର କୌଣସି ଆପତ୍ତି କରିନଥିଲେ କି ଏହାକୁ ଡେଡ ବଲ ମଧ୍ୟ ଘୋଷଣା କରିନଥିଲେ । ଶିବାଙ୍କ କହିବା ଅନୁଯାୟୀ, ଯେତେବେଳେ ବ୍ୟାଟସମ୍ୟାନ ରିଭର୍ସ ସ୍ୱିପ୍ ସଟ ଖେଳିପାରୁଛନ୍ତି ସେତେବେଳେ ବୋଲର ଏଭଳି ଆକ୍ସନରେ ବୋଲିଂ କରିବାରେ କଣ ଅସୁବିଧା ଅଛି । ଏଥିପାଇଁ ନିୟମ କୋହଳ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଶିବା ।

ଶିବା ସିଂଙ୍କ ଏହି ବୋଲିଂ ଶୈଳୀକୁ ନେଇ କ୍ରିକେଟ ଜଗତରେ ଏବେ ଚହଳ ପଡିଛି । କିଛି କ୍ରିକେଟର ଏହାକୁ ସମର୍ଥନ କରୁଥିବା ବେଳେ କିଛି କ୍ରିକେଟର ଓ ଅମ୍ପାୟାର ଏହାକୁ ବିରୋଧ କରିଛନ୍ତି । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଶିବାଙ୍କ ବୋଲିଂ ଶୈଳୀକୁ ସମର୍ଥନ କରିବା ଏଥିରେ କୌଣସି ଆପତ୍ତି ନଥିବା କହିଛନ୍ତି । ତେବେ ଅମ୍ପାୟାର ସାଇମନ ଟଫେଲ କହିଛନ୍ତି ଏହା କ୍ରିକେଟ ନିୟମକୁ ଭଙ୍ଗ କରୁଛି । ଏହାଦ୍ୱାରା ବ୍ୟାଟ୍ସମ୍ୟାନଙ୍କ ଧ୍ୟାନ ଭଙ୍ଗ ହେବ ବୋଲି କହିଛନ୍ତି ଟଫେଲ । ଏପରିକି ଏହି ଶୈଳୀରେ ବୋଲିଂ ହେଉଥିଲେ ଏହାକୁ ଡେଡ ବଲ ଘୋଷଣା କରିବାର ଅଧିକାର ଅମ୍ପାୟାରଙ୍କର ରହିଛି ବୋଲି କହିଛନ୍ତି ଟଫେଲ । ଏହଭଳି ଭାବେ ଏବେ ଶିବା ସିଂଙ୍କ ବୋଲିଂ ଆକ୍ସନକୁ ନେଇ ଏବେ କ୍ରିକେଟ ଜଗତର ବଡ ବଡ ଖେଳାଳୀଙ୍କ ମଧ୍ୟରେ ଟ୍ୱିଟର ୱାର ଆରମ୍ଭ ହୋଇଛି ।