ମହାରଥୀଙ୍କ ପାଇଁ ମହାଅଡୁଆ, ରାସ୍ତାକୁ ଓହ୍ଲାଇଲେ ବିରୋଧୀ ! ଘର ଉପରେ ଅଣ୍ଡା ଓ ଟମାଟୋ ମାଡ, ଅପରାଜିତା କହିଲେ ମନ୍ତ୍ରୀଙ୍କୁ ବହିଷ୍କାର କର ।

162

କନକ ବ୍ୟୁରୋ : ପିପିଲି ପୀଡ଼ିତା ମାମଲାରେ କୋର୍ଟଙ୍କ ରାୟକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ୍ ଓଡ଼ିଶା ରାଜନୀତିରେ ନୂଆ ଝଡ଼ ସୃଷ୍ଟି କରିଛି । ସତ୍ୟ ପ୍ରକାଶ ପାଇଛି ବୋଲି ଯେଉଁ ବୟାନ୍ ରଖିଥିଲେ କୃଷି ମନ୍ତ୍ରୀ, ସେହି ବୟାନ ଏବେ ତାଙ୍କୁ ବେଶ୍ ମହଙ୍ଗା ପଡ଼ିଛି । ଉଭୟ କଂଗ୍ରେସ ଓ ବିଜେପି, କୃଷିମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏପଟେ କୋର୍ଟଙ୍କ ରାୟ ବିରୁଦ୍ଧରେ ହାଇକୋର୍ଟକୁ ଯିବେ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ୍ ଏଡିଜି । କଥା,ଏତିକିରେ ସୀମିତ ରହିନି, ମହିଳା କଂଗ୍ରେସର କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି । ଯାହା ମହାରଥୀଙ୍କ ପାଇଁ ପାଲଟିଛି ମହା ଅଡୁଆ । 

‘ସତ୍ୟ ପ୍ରକାଶ ପାଇଛି’ । ‘କ୍ଷୀର ପାଣି ଅଲଗା ହୋଇଛି’ । ପିପିଲି ପୀଡ଼ିତା ହତ୍ୟା ମାମଲାରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏହି ବୟାନ୍, ଏବେ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛି ଝଡ଼ । ମହାରଥୀଙ୍କ ବୟାନକୁ ବିରୋଧ କରି କଂଗ୍ରେସ ତାଙ୍କ ବାସଭବନ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଆଉ ଏହି ପ୍ରତିବାଦ ବେଳେ ଧସ୍ତାଧସ୍ତି ହୋଇଛନ୍ତି ପୁଲିସ୍ ଓ ମହିଳା କଂଗ୍ରେସ କର୍ମୀ  ।

ଏପଟେ ୨୪ ଘଂଟାର ଡେଡଲାଇନ୍ ଦେଇଛି ଭାରତୀୟ ଜନତା ପାର୍ଟି । ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ  । ସତ୍ୟ ସାମ୍ନାକୁ ଆସିଛି କହିବା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ ବୋଲି କହିଛନ୍ତି ଅପରାଜିତା ।

ଉଭୟ ବିଜେପି ଓ କଂଗ୍ରେସ ଏହି ଘଟଣାରେ ଆକ୍ରମଣାତ୍ମକ ହୋଇଉଠିଥିବା ବେଳେ ଦୁଇଟି ଯାକ ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଏପଟେ ପିପିଲି ପୀଡ଼ିତାଙ୍କ ଘରେ ପହଂଚିଛି ବିଜେପିର ଏକ ପ୍ରତିନିଧି ଦଳ । ପୀଡ଼ିତାଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ମହିଳା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ବିଜେପି  ।

ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପିପିଲିର ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପରୋକ୍ଷରେ ମହାରଥୀଙ୍କ ସମର୍ଥନରେ ବାହାରି ଆସିଛନ୍ତି ମହେଶ୍ୱର ମହାନ୍ତି । କହିଛନ୍ତି, ନ୍ୟାୟ ଦେବା କାମ ମହାରଥୀଙ୍କ ନୁହେଁ କୋର୍ଟର କାମ  । ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ ପ୍ରଶ୍ନ ହେଉଛି,

-କେଉଁ ସତ୍ୟ ପ୍ରକାଶ ହେଉଛି, ତାହା ଖୋଲାଖୋଲି ବୁଝାଇବାକୁ ଚେଷ୍ଟା କରିବେ କି ମହାରଥୀ?

-କ୍ଷୀର ଓ ପାଣି ମିଶିଥିଲା କେତେବେଳେ ଯେ, କ୍ଷୀର ଓ ପାଣି ଅଲଗା ହୋଇଗଲା ?

-ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବା ବେଳେ କେଉଁ ନ୍ୟାୟ ପୀଡ଼ିତାଙ୍କ ପରିବାରକୁ ମିଳିଲା ?

ତେବେ ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଭିତରେ ନିଜ ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ  ପ୍ରଦୀପ ମହାରଥୀ ।