ରଥଯାତ୍ରା ପୂର୍ବରୁ ପୁଣି ଉଠିଲା ସ୍ପର୍ଶ ବିବାଦ ! ସେବାୟତ କହିଲେ, ମହାପ୍ରଭୁଙ୍କୁ ଛୁଇଁବା ଆମ ଅଧିକାର

28

କନକ ବ୍ୟୁରୋ : ଠାକୁରଙ୍କୁ ଛୁଇଁବା ଆମ ଅଧିକାର, ଆମେ ଛୁଇଁବୁ । ପ୍ରଶାସନକୁ ଏଭଳି ଖୋଲା ଚ୍ୟାଲେଂଜ୍ ଦେଇଛନ୍ତି ସେବାୟତ । ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ ସେବାୟତ ଓ ପ୍ରଶାସନ ମଧ୍ୟରେ ବସିଥିଲା ସମନ୍ୱୟ ବୈଠକ । ହେଲେ ବୈଠକରେ ପୁଣି ଠାକୁରଙ୍କୁ ସ୍ପର୍ଶ ଓ ଅଧିକୃତ- ଅନଧିକୃତ ସେବାୟତ ପ୍ରସଙ୍ଗରେ ହୋହାଲ୍ଲା ହୋଇଛି । ଶ୍ରୀବିଗ୍ରହଙ୍କୁ ସ୍ପର୍ଶ ଅଧିକାର ନେଇ ଶ୍ରୀମନ୍ଦିର ସତ୍ୱଲିପିରେ ଉଲ୍ଲେଖ ରହିଛି ଏବଂ ସେମାନେ ପ୍ରଶାସନର କଟକଣା ମାନିବେ ନାହିଁ ବୋଲି ସେବାୟତ କହିଛନ୍ତି ।

ତେବେ ଏହାକୁ ଜିଲ୍ଲାପାଳ ବିରୋଧ କରିଥିଲେ । ଫଳରେ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ସୁଦ୍ଧ ସୁଆର ନିଯୋଗ ସେବାୟତ । ସତ୍ୱଲିପିରେ ସେବାୟତଙ୍କ କଣ ଅଧିକାର ରହିଛି, ସେନେଇ ଲେଖିକି ଦେବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ଜୁନ୍ ୫ରେ ପୁଣି ଏକ ବୈଠକ କରାଯିବ ଏବଂ ଆବଶ୍ୟକ ପଡିଲେ ଏହି ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଯିବ ବୋଲି ସେବାୟତ କହିଛନ୍ତି ।