କାଠଗଡାରେ ଭିଜିଲାନ୍ସ ଡିଏସପି ! ଜେଇଙ୍କୁ ମାଡ ମାରିବାରେ ଠିକାଦାରଙ୍କୁ କରିଥିଲେ ସହାୟତା . . ସତ କହିଲା ସିସିଟିଭି

28

କନକ ବ୍ୟୁରୋ : ଜେଇଙ୍କୁ ମାଡ ମାରୁଥିଲେ ଠିକାଦାର ଆଉ ସହଯୋଗ କରୁଥିଲେ ଭିଜିଲାନ୍ସ ଡିଏସପି ହିମାଂଶୁ ଶେଖର ମିଶ୍ର । କାମାକ୍ଷାନଗର ଏନଏସି କାର୍ଯ୍ୟାଳୟରେ ଜୁନିୟର ଇଂଜିନିୟର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ କୋଠରୀରେ ଚାଲିଥିଲା ଷଡଯନ୍ତ୍ରର ନାଟକ । ଅଭିଯୋଗ ହୋଇଛି ଜେଇଙ୍କ ଚାମ୍ବରରେ ଠିକାଦାର ଗୁଣ୍ଡାରାଜ ଚଳାଇଥିବା ବେଳେ ଡିଏସପି ହିମାଂଶୁ ଶେଖର ମିଶ୍ର ଓ ତାଙ୍କ ଭିଜିଲାନ୍ସ ଟିମ୍ ଯୋଗାଇ ଦେଇଥିଲେ ସହାୟତା ।

ଠିକାଦାର କଷି ଦେଉଥିଲେ ଚାପୁଡା, ଜେଇଙ୍କ କଲର ଧରି ଧକା ମାରୁଥିଲେ ଡିଏସପି । ସିସିଟିଭିରେ ରେକର୍ଡ ହେଉଥିଲା ଏହି କାରନାମାର ଟିକନିକ ଚିତ୍ର । ଏହି ଦୃଶ୍ୟ କନକ ନ୍ୟୁଜରେ ପ୍ରସାରତି ହେବା ପରେ ସଂପୃକ୍ତ ଠିକାଦାର ସୁରେଶ ନାଏକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଓଲଟା ଅଭିଯୋଗ କରିଛନ୍ତି ଜେଇ ତାଙ୍କୁ ଗାଳିଗୁଲଜ କରିବାରୁ ଉତକ୍ଷିପ୍ତ ହୋଇଉଠିଥିଲେ ମାତ୍ର ଜେଇଙ୍କୁ ମାଡ ମାରି ନାହାନ୍ତି ।

ସିସିଟିଭି ଫୁଟେଜ୍ ବୟାନ କରିଛି ଠିକାଦାର ଓ ଭିଜିଲାନ୍ସ ଟିମର କାରନାମା । ୧୦ ମିନିଟ୍ ଧରି ଚାଲିଥିବା ଏହି ଭିଜିଲାନ୍ସ ରେଡ୍ ଥିଲା ପୂର୍ବ ପ୍ରସ୍ତୁତ ନାଟକର ଗୋଟିଏ ଗୋଟିଏ ଦୃଶ୍ୟ । ପ୍ରଥମେ ଛାନଭିନ୍ ଆଉ ତାପରେ ନିଜେ ଟଙ୍କା ରଖି ଟଙ୍କା ପାଇବାର ଅଭିନୟ । ଯାହାକୁ କଏଦ କରିନେଇଥିଲା ଚାମ୍ବରରେ ଲାଗିଥିବା ସିସିଟିଭି । ପଦାରେ ପଡିଥିଲା ଭିଜିଲାନ୍ସ ଟିମ୍ ଓ ଠିକାଦାରଙ୍କ ଷଡଯନ୍ତ୍ର । ଖବର ପ୍ରସାରଣ ପରେ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ ଡିଜି ।

ହୁଏତ ଜେଇ ଦୋଷୀ ହୋଇଥାଇପାରନ୍ତି, ତେବେ ଏଠି ପ୍ରଶ୍ନ ଉଠୁଛି ଜେଇଙ୍କୁ ମାଡ ମାରିବା ପାଇଁ ଅଧିକାର ଦେଲା କିଏ? ଜଣେ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଆଉ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପାଇଁ କିପରି ସାହାସ କଲେ ଠିକାଦାର । ଭିଜିଲାନ୍ସ ଓ ଠିକାଦାର ମଧ୍ୟରେ ରହିଛି କି ପ୍ରକାର ସମ୍ପର୍କ?