ବିମାନ ବନ୍ଦରରେ ଛାତ ଭୁଷୁଡିବା ଘଟଣା । ଗଣମାଧ୍ୟମ ଆଗରେ ଠିକାଦାରଙ୍କ ମୁହଁ ଫୁଟାଣି । ଦୁର୍ଘଟଣା ପାଇଁ ଦୋଷ ଲଦିଦେଲେ ଶ୍ରମିକଙ୍କ ଉପରେ

କହିଲେ, ମୁଁ ନୁହଁ କାମ କରୁଥିଲେ ଶ୍ରମିକ, ଭୁଲ ତାଙ୍କର

264

କନକ ବ୍ୟୁରୋ: ଭୁବନେଶ୍ୱର ବିମାନ ବନ୍ଦରରେ ଛାତ ଭୁଷୁଡିବା ଘଟଣାରେ ଜଣେ ଆହତ ହୋଇଛନ୍ତି । ଉଦ୍ଧାର ପରେ ପରେ ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ସେ ଜଣେ ଡ୍ରାଇଭର ନାମ ନବକିଶୋର ସ୍ୱାଇଁ, ଘର ଢେଙ୍କାନାଳ ବୋଲି ଜଣାପଡିଛି । ନିର୍ମାଣ କାମ ଚାଲିଥିବା ବେଳେ ସେ କିଛି ଶ୍ରମିକଙ୍କ ସହିତ ଛାତ ତଳେ ଠିଆ ହୋଇଥିବା ବେଳେ ଭୁଷୁଡି ପଡିଥିଲା ବିଶାଳ ଛାତ । ତେବେ କେତେ ଜଣ ଶ୍ରମିକ ଛାତ କାମ ବେଳେ ଉପରେ ଥିଲେ ସେ କିଛି ବି କହିପାରିବେ ନାହିଁ ବୋଲି କହିଛନ୍ତି ।

ତେବେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରାତି ଅଧରେ ଚାଲିଥିଲା ନିର୍ମାଣ କାମ । ଶ୍ରମିକଙ୍କୁ ଅଧିକ ମଜୁରୀ ଦେଇ ଓଭର ଟାଇମ କରାଇ ଛାତ ପକାଇବା କାମ କରାଯାଉଥିଲା । ୩ ମାସ ଧରି ଏହି ନିର୍ମାଣ କାମ ଚାଲିଛି । ଏହାର ବ୍ୟୟ ଅଟକଳ ରହିଛି ପ୍ରାୟ ୮୭ କୋଟି ଟଙ୍କା । ଦିଲୀପ କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ଏହି ନିର୍ମାଣ କାମ କରୁଥିବା ନେଇ ସୂଚନା ମିଳିଛି  । ତେବେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ କାମରେ ସାଂଘାତିକ ତ୍ରୁଟି ଡାକି ଆଣିଲା ଦୁର୍ଘଟଣାକୁ ।

 

ବଡ କଥା ହେଲା, ଏହି ଦୁର୍ଘଟଣା ସମ୍ପର୍କରେ ଠିକା ସଂସ୍ଥାର ମାଲିକ ଦିଲ୍ଲୀପ ଖଟେଇ କ୍ୟାମେରା ଆଗରେ ସେ ଦେଖାଇଥିଲେ ମୁହଁ ଫୁଟାଣି । ଦିଲ୍ଲୀପ ଖଟେଇ ଯାହା ବୟାନ ରଖିଛନ୍ତି , ଦୁର୍ଘଟଣା ପରେ ସେ କେତେ ସଂବେଦନଶୀଳ ତାହା ସ୍ପଷ୍ଟ ହୋଇଯାଇଥିଲା । ଗଣମାଧ୍ୟମ ପ୍ରଶ୍ନର ଜବାବ ଦେବାକୁ ଯାଇ ଦିଲ୍ଲୀପ କନଷ୍ଟ୍ରକସନ୍ ମାଲିକ ସମସ୍ତ ଦୋଷ ଲଦି ଦେଇଥିଲେ ଶ୍ରମିକଙ୍କ ଉପରେ । କହିଥିଲେ ଭୁଲ ନିଶ୍ଚିତ ହୋଇଛି । ନହେଲେ ଦୁର୍ଘଟଣା ହୋଇନଥାନ୍ତା । ସବୁ ଦୋଷ ଶ୍ରମିକ କରିଛନ୍ତି । କାରଣ କାମ ଶ୍ରମିକ କରୁଥିଲେ ।