୧୫୦ ବନାମ ୧୨୫ ! ଗୁଜରାଟ୍ ବିଧାନସଭା ନିର୍ବାଚନରେ ବିଜେପି କଂଗ୍ରେସ୍ ଟକ୍କର

86

କନକ ବ୍ୟୁରୋ : ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ବିଗୁଲ ବଜାଇଛନ୍ତି । ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ଅହମଦାବାଦରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଘନ ଘନ ବୈଠକ କରି ଆଲୋଚନା କରିଛନ୍ତି । ବିଧାନସଭା ନିର୍ବାଚନରେ ବିଜେପିକୁ କିଭଳି ଟକ୍କର ଦିଆଯାଇପାରିବ ସେ ନେଇ ରାହୁଲ ଗାନ୍ଧି ଗୁଜରାଟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରଣନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ।

୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ଆସନ ପାଇଁ ଏବେ କାହାକୁ ଟିକେଟ ଦିଆଯିବ ତାହା ଉପରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ରାଜ୍ୟର ବୁଦ୍ଧିଜୀବୀ, ଏନଜିଓ ସଦସ୍ୟ, ଶିଳ୍ପପତି ଏବଂ କଂଗ୍ରେସ ସମର୍ଥକଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧି । ଗୁଜରାଟରେ କିଭଳି କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ଏବଂ ସରକାର ଗଠନ କରିପାରିବ ସେ ନେଇ ସମସ୍ତଙ୍କ ମତାମତ ନେଇଛନ୍ତି । ନିକଟରେ ଖାଲି ହୋଇଥିବା ଗୁଜରାଟର ୩ଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ଆସନରେ କଂଗ୍ରେସର ବରିଷ୍ଠ ନେତା ତଥା ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶଦାତା ଅହମଦ ପଟେଲ ବହୁ କଷ୍ଟରେ ବିଜୟୀ ହୋଇଥିଲେ ମଧ୍ୟ କଂଗ୍ରେସ ଅନେକ ଦଳୀୟ ନେତାଙ୍କୁ ହରାଇଛି ।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସର ୧୪ ବିଧାୟକ ପାର୍ଟି ଛାଡି ଚାଲି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଗୁଜରାଟରେ କଂଗ୍ରେସ ନେତାଙ୍କୁ ଏକଜୁଟ କରିବା ପାଇଁ ରାହୁଲ ଗାନ୍ଧି ଏବେ ଧ୍ୟାନ ଦେଇଛନ୍ତି । ଗୁଜରାଟରେ ୨୨ ବର୍ଷ ହେଲା କଂଗ୍ରେସ ବିରୋଧୀ ପକ୍ଷରେ ରହିଛି । ୧୯ ବର୍ଷ ହେଲା ଗୁଜରାଟରେ ବିଜେପି ଶାସନ କରୁଛିି । ସେପଟେ ବରିଷ୍ଠ ନେତା ଶଙ୍କର ସିଂହ ବାଘେଲା ଓ ତାଙ୍କ ସମର୍ଥକ ଦଳ ଛାଡି ଚାଲିଯିବା ପରେ ଗୁଜରାଟ କଂଗ୍ରେସ ଏବେ ଦୁର୍ବଳ ସ୍ଥିତିରେ ରହିଛି । ଅହମଦ ପଟେଲ ରାଜ୍ୟସଭା ନିର୍ବାଚନ ଜିତିବା ପରେ କଂଗ୍ରେସ ଅବଶ୍ୟ ସାମାନ୍ୟ ବଳ ପାଇଛି ।

ତେବେ ଆଗକୁ କଂଗ୍ରେସକୁ ରାଜ୍ୟରେ ବିଜେପି ସହ ଲଢ଼େଇ ପାଇଁ କଡ଼ା ସଂଘର୍ଷ କରିବାକୁ ପଡ଼ିବ ଅନୁଭବ କରି ଦଳୀୟ ନେତାଙ୍କ ସହ ବିଚାର ବିମର୍ଷ କରି ଟିକେଟ ବାଂଟିବେ ବୋଲି କହିଛନ୍ତିି ରାହୁଲ । ୧୮୨ ଆସନ ମଧ୍ୟରୁ ବିଜେପି ୧୫୦ ପ୍ଲସ୍ ଆସନ ଟାର୍ଗେଟ୍ ଘୋଷଣା କରିଥିବା ବେଳେ ରାହୁଲ ଗାନ୍ଧି ୧୨୫ ପ୍ଲସ୍ ଆସନ ଜିତିବା ନେଇ ଟାର୍ଗେଟ୍ ରଖିଛନ୍ତି । ନିର୍ବାଚନ ପୂର୍ବରୁ ରାଜ୍ୟକୁ ୮ ଥର ରାହୁଲ ଗାନ୍ଧି ଗସ୍ତ କରି ରାଲି କରିବା ସହ ନେତାଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ୧୫ ବର୍ଷ ଧରି ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟ ନିର୍ବାଚନର ମଂଗ ଧରିଥିବାବେଳେ ଏଥର ମୋଦି ପ୍ରଧାନମନ୍ତ୍ରୀ ଭାବେ ଗୁଜରାଟର ବଡ଼ ଚେହେରା ଭାବେ ଲୋକଙ୍କ ଆକର୍ଷଣ ରହିବେ ଏବଂ ଅମିତ ଶାହା ନିର୍ବାଚନର ମଂଗ ଧରିବେ ।

ଏବେ ଗୁଜରାଟରେ ବିଜେପିର ୧୨୦ଟି ଆସନ , କଂଗ୍ରେସର ୪୩ ଟି ଆସନ, ଏନସିପି ୨, ଜେଡିୟୁ ୧ ଆସନ, ସ୍ୱାଧୀନ ଗୋଟିଏ ସଦସ୍ୟ ଥିବାବେଳେ ୧୫ଟି ଆସନ ଖାଲି ରହିଛି । ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନ ପ୍ରଥମ ଥର ଇଭିଏମରେ ଭୋଟର ଭେରିଫିକେସନ ପେପର ଅଡିଟ୍ ଟ୍ରୋଲ ( ଭଭିପିଏଟି ) ବ୍ୟବହାର ପାଇଁ ନିଷ୍ପତି ନେଇଛନ୍ତି । ଏଥିପାଇଁ ପାଇଁ ୭୦ ହଜାରରୁ ଉଦ୍ଧ୍ୱର୍ ଭିଭିପିଏଟି ମେସିନ ଅର୍ଡର ଦିଆଯାଇଛି ।