ବିଜେପୁରକୁ ନେଇ କଂଗ୍ରେସରେ କନଫ୍ୟୁଜନ୍ ! ପ୍ରାର୍ଥୀ କିଏ ହେବ ତାହାକୁ ନେଇ ହାତଦଳରେ ଟଣାଓଟରା

24

କନକ ବ୍ୟୁରୋ : ବିଜେପୁରକୁ ନେଇ କଂଗ୍ରେସରେ କନଫ୍ୟୁଜନ୍ । ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଜେପୁରରେ କାହାକୁ ଦଳର ପ୍ରାର୍ଥୀ କରାଯିବ, ତାକୁ ନେଇ ମତଭେଦ ଦେଖାଦେଇଛି । ପ୍ରାର୍ଥୀ ଚୟନ ପାଇଁ ପ୍ରଥମେ ପିସିସି ଏକ କମିଟି ଗଠନ କରିବା ପରେ ଏଆଇସିସି ପୁଣି ଏକ କମିଟି ଗଠନ କରିବା ଘଟଣା ଦଳରେ ଗୁଂଜରଣ ସୃଷ୍ଟି କରିଛି ।

bijepurବିଜେପୁର ଉପ-ନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦରେ ରାଜ୍ୟ ନେତା । ଏଆଇସିସି ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ପ୍ରାର୍ଥୀ ବାଛିବାକୁ ନିଷ୍ପତି ନେବା ପରେ ରାଜ୍ୟ କଂଗ୍ରେସ ଏବେ ଆଶଙ୍କାରେ । କାରଣ ପୂର୍ବରୁ ପିସିସି ପକ୍ଷରୁ ଏକ କମିଟି ଗଠିତ ହୋଇ ବିଜେପୁରରେ କିଏ ଲଢିବ ସେ ନେଇ ଏଆଇସିସିକୁ ରିପୋର୍ଟ ଦେଇସାରିଛି । ତେଣୁ ଦ୍ୱିତୀୟ କମିଟି ଗଠନ ପଛରେ କଣ କାରଣ ତାହା ଉପରେ ରାଜ୍ୟ ନେତା ସନ୍ଦେହ ପ୍ରକଟ କରୁଛନ୍ତି । କିନ୍ତୁ ଏହାରି ଭିତରେ ଗୁରୁବାର ହେମାନନ୍ଦ ରିପୋର୍ଟ ନେଇ ଦିଲ୍ଲୀ ଗସ୍ତ କରିଛନ୍ତି ।

ତେବେ ବିଜେପୁର ପାଇଁ ରେସରେ ଆଗରେ ଅଛନ୍ତି ଗାଏସିଲଟ ବ୍ଲକ ଉପାଧ୍ୟଧ ପ୍ରଣୟ ସାହୁ ଓ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ । କୁହାଯାଉଛି ପ୍ରଣୟଙ୍କ ହାତରେ ସଂଗଠନ ମଜବୁତ ଥିଲେ ମଧ୍ୟ ଗୋଟିଏ ଗୋଷ୍ଠୀ ରିପୁଙ୍କୁ ପ୍ରାର୍ଥୀ କରିବାକୁ ଅଂଟା ଭିଡିଛନ୍ତି । ପ୍ରଣୟ ହିଁ ସ୍ୱର୍ଗତଃ ସୁବଳ ସାହୁଙ୍କ ସବୁଠୁ ଘନିଷ୍ଠ ଥିଲେ । ଏପରିକି ବିଜେପୁରରେ ସୁବଳଙ୍କ ପାଇଁ ସଂଗଠନର କଥା ପ୍ରଣୟ ହିଁ ବୁଝୁଥିଲେ । ତେଣୁ କଂଗ୍ରେସରେ ପ୍ରାର୍ଥୀକୁ ନେଇ ଲାଗି ରହିଥିବା ଛକାପଞ୍ଝାରୁ ଫାଇଦା ନେବାକୁ ଅଣ୍ଟା ଭିଡିଛନ୍ତି ଉଭୟ ବିଜେଡି-ବିଜେପି ।

ଗୋଟିଏ ପଟେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ବିଜେପୁର ଅଭିଯାନ ଆରମ୍ଭ କରିସାରିଥିବା ବେଳେ, କଂଗ୍ରେସର ଗୋଷ୍ଠୀ କନ୍ଦଳର ପ୍ରଭାବ ପ୍ରାର୍ଥୀ ଚୟନରେ ମଧ୍ୟ ବାରିହେଉଛି ।