ଦାନ ମାଝି କାନ୍ଧରେ ସ୍ତ୍ରୀର ଶବ ବୋହିନେବା ଘଟଣା : ଆଜି ଭବାନୀପାଟଣାରେ ପହଂଚିବ କଂଗ୍ରେସର ପଦଯାତ୍ରା

32

କଳାହାଣ୍ଡି : କଳାହାଣ୍ଡିରେ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବା ଘଟଣାରେ ଜୋରାଦାର ଆନ୍ଦୋଳନ କରୁଛି କଂଗ୍ରେସ । ଦାନ ମାଝିର ଗାଁ ମେଲଘରାରୁ ବାହାରିଥିବା ପଦଯାତ୍ରା ଆଜି ସଦର ମହକୁମା ଭବାନୀପାଟଣାରେ ପହଂଚିବ। ଏହାପରେ ସେମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି । ଦାନ ମାଝିଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା, ତାଙ୍କର ଝିଅଙ୍କ ପାଠପଢା ଦାୟିତ୍ୱ ସରକାର ନେବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି । ଏସବୁ ପୂରଣ ନହେବା ଯାଏଁ ଦଳ ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ପୂର୍ବରୁ କଂଗ୍ରେସର ଏକ ପ୍ରତିନିଧି ଦଳ ଘଟଣାର ତଦନ୍ତ କରିଥିବା ବେଳେ ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ବିଧାୟକ ରବି ନାୟକଙ୍କ ନେତୃତ୍ୱରେ ମେଲଘରା ଗସ୍ତ କରିଥିଲା । ସେଠାରୁ ତଥ୍ୟ ସଂଗ୍ରହ କରିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବିଜେପିର ଏହି ପ୍ରତିନିଧି ଦଳ ସଦସ୍ୟ । ଗତକାଲିଠାରୁ କଂଗ୍ରେସ ତାର ପଦଯାତ୍ରା ଆରମ୍ଭ କରିଛି ଏବଂ ପୂର୍ବରୁ କଳାହାଣ୍ଡି ବନ୍ଦ କରିବା ସହ ପ୍ରତିବାଦ ସଭା କରିଛି ଦଳ । ଦାନ ମାଝି ଘଟଣା ଦେଶ ବିଦେଶ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା ବେଳେ ଏହାର ଭରପୁର ଫାଇଦା ନେବାକୁ କଂଗ୍ରେସ ଉଦ୍ୟମ କରୁଥିବା କୁହାଯାଉଛି ।