ଓଡିଶାରେ କଳି, ଗୁଜରାଟରେ କୋଳାକୋଳି ! ସୁରଟ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ କଂଗ୍ରେସ ନେତା

40

କନକ ବ୍ୟୁରୋ : ଓଡିଶାରେ ମନ ମିଶିଲାନି, ଗୁଜରାଟରେ ଏକାଠି ହେଲେ । ଗୁଜରାଟରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି ଓଡିଶାର ନେତା । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ସୁରଟର ବିଭିନ୍ନ ଅଂଚଳରେ ଓଡିଶାର କଂଗ୍ରେସ ନେତାମାନେ ପ୍ରଚାର କରିଛନ୍ତି । ଓଡିଶା କଂଗ୍ରେସରେ ଫାଟ ଥିବା ନେଇ ବାରମ୍ବାର ଚର୍ଚ୍ଚା ହେଉଥିବା ବେଳେ ଏଭଳି ଏକ ଘଟଣା ସାମନାକୁ ଆସିଛି ।

vlcsnap-2017-12-07-21h53m25s938ଗୁଜରାଟ ସୁରଟରେ କଂଗ୍ରେସ ନେତାଙ୍କ ମେଳି । ପ୍ରଚାରରେ ମାତିଛନ୍ତି ରାଜ୍ୟ କଂଗ୍ରେସର ତୁଙ୍ଗନେତା । ସୁରଟରେ ଥିବା ଓଡ଼ିଆ ଲୋକଙ୍କ ଭୋଟକୁ କଂଗ୍ରେସ ଆଡକୁ ନେବା ପାଇଁ ପ୍ରୟାସ କରୁଛନ୍ତି ଏହି ନେତାମାନେ । ଗୋଟିଏ ମଂଚରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି । ମଂଚରେ ବି ଅଛନ୍ତି ଦୁଇ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା ।

ସବୁଠୁ ରୋଚକ କଥା ହେଉଛି ଯେଉଁ କଂଗ୍ରେସ ନେତା ଓଡ଼ିଶାରେ ଏକାଠି ହୋଇ ପାରୁନାହାନ୍ତି, ସେମାନେ ଗୁଜରାଟରେ ଗୋଟିଏ ମଂଚରେ ଏକାଠି ହୋଇ କଂଗ୍ରେସ ପାଇଁ ଭୋଟ ପ୍ରଚାର କରୁଛନ୍ତି । ନିକଟରେ କଟକ ନଗର କଂଗ୍ରେସ ସଂକଳ୍ପ ସମାବେଶରେ ବି ପ୍ରସାଦ ହରିଚନ୍ଦନଙ୍କୁ ଦୂରେଇ ରଖିଥିଲେ ଛାମୁଆ ନେତା । ଏପରିକି ବିଭିନ୍ନ ସଭା ସମିତିରୁ ପ୍ରସାଦଙ୍କୁ ବୟକଟ କରିଥିଲେ କଂଗ୍ରେସର ଗୋଟିଏ ଗୋଷ୍ଠୀ । ଯାହାକୁ ନେଇ ଦଳ ମଧ୍ୟରେ ତୁ ତୁ ମେ ମେ ଚାଲିଥିଲା ।

ରାଜ୍ୟରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଏପରି ହୋଇଛି ଯେ ଏପର୍ଯ୍ୟନ୍ତ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଗୋଟିଏ ପାଦ ବି ଆଗକୁ ଯାଇପାରିନାହିଁ । ଉଭୟ ବିଜେଡି ଓ ବିଜେପି କିଏ ପ୍ରାର୍ଥୀ ହେବ ଏକପ୍ରକାର ସ୍ଥିର ହୋଇଥିବା ବେଳେ ବହୁ ପଛରେ ପଡିଯାଇଛି କଂଗ୍ରେସ । ହେଲେ ଗୁଜରାଟ ପ୍ରଚାରରେ ଦେଖିବାକୁ ମିଳିଛି ଓଡ଼ିଶା କଂଗ୍ରେସ ନେତାଙ୍କୁ । ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଯୋଗୁଁ ସୁରଟରେ ଏକାଠି ହୋଇ ପ୍ରଚାର କରିବାକୁ ବାଧ୍ୟ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଗୁଜରାଟରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟ ଓଙ୍ଗ଼ିଶାରେ କେବେ ଦେଖିବାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।