ସରିଲା ଶୋକର ବେଳ, ତେଜିଲା ରାଜନୀତି ! କଂଗ୍ରେସକୁ ଅମିତ ଶାହାଙ୍କ ଟାର୍ଗେଟ୍, କାଶ୍ମୀର ସମସ୍ୟା ପାଇଁ ନେହେରୁଙ୍କୁ କଲେ ଦାୟୀ ।
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଗୋଟିଏ ପଟେ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଅନ୍ୟପଟେ ଏହି ଛାତିଥରା ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପାକିସ୍ତାନ ଠାରୁ ବଦଲା ନେବା ପାଇଁ ଏବେ ସାରା ଦେଶ ଦାବି କରୁଛି । ଆଉ ଏହାରି ଭିତରେ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କାଦୁଅଫିଙ୍ଗା ରାଜନୀତି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ଡକ୍ୟୁମେଣ୍ଟାରି ସୁଟିଂ କରୁଥିଲେ ବୋଲି ଗତକାଲି କଂଗ୍ରେସ ଆଣିଥିଲା ସାଙ୍ଘାତିକ ଅଭିଯୋଗ । ଆଉ ଆଜି କଂଗ୍ରେସ ଉପରେ ଜବରଦସ୍ତ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆନ୍ଧ୍ରପ୍ରଦେଶର ରାଜମୁନ୍ଦରୀରେ ଏକ ସମ୍ମିଳନୀରେ ଅମିତ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର, ଦେଶର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦେଇଆସିଛି । ଆତଙ୍କବାଦୀ ମୁଦ୍ଦା ଉପରେ ସରକାର ଜିରୋ ଟଲରେନ୍ସ ନିତି ଆପଣେଇଛନ୍ତି । ଏପରିକି ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ମଧ୍ୟ ଉଚିତ୍ ରଣନୀତି ଉପରେ କାର୍ଯ୍ୟ କରାଯାଉଛି । ଆଉ ଏହାରି ଭିତରେ ରାଜନୈତିକ ଫାଇଦା ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମିଛ ଅଭିଯୋଗ କରୁଥିବା ଅମିତ ଶାହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାଶ୍ମୀରରେ ଆଜି ଯେଉଁ ସମସ୍ୟା ଦେଖାଯାଉଛି, ତାହା କେବଳ ନେହେରୁ ଜୀଙ୍କ ପାଇଁ ହିଁ ହେଉଛି । ଯଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ଆଜି କାଶ୍ମୀରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ।
ଏହି ଅବସରରେ କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏପରିକି କଂଗ୍ରେସ ଆତଙ୍କବାଦକୁ ପ୍ରଶୟ ଦେଉଥିବା ପରୋକ୍ଷରେ କହିଛନ୍ତି ଅମିତ ଶାହା । ସେ କହିଛନ୍ତି, ଦେଶର ବିଭାଜନର କଥା କହୁଥିବା ଲୋକମାନଙ୍କୁ ସମର୍ଥନ କରୁଥିବା କଂଗ୍ରେସ, ତାଙ୍କୁ ଦେଶଭକ୍ତି ଶିଖାଇବାର ଆବଶ୍ୟକତା ନାହିଁ । ପୁଲୱାମା ଆକ୍ରମଣର ବ୍ୟବହାର କଂଗ୍ରେସ ନିଜର ରାଜନୈତିକ ଫାଇଦା ପାଇଁ କରୁଥିବା ସେ କହିଛନ୍ତି । ତେବେ ଗୋଟିଏ ପଟେ, ପୁଲୱାମାର ଛାତିଥରା ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ, ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି ।