କଂଗ୍ରେସ ଦଳୀୟ ବୈଠକରେ ଅଧ୍ୟକ୍ଷତା କରିବା ଲାଗି ମଙ୍ଗୁନାହାନ୍ତି ରାହୁଲ ଗାନ୍ଧୀ । ଆଣ୍ଟୋନି ସମ୍ଭାଳିବେ ବୈଠକ?

କଂଗ୍ରେସ ଦଳ ଆସନ୍ତା ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ବୈଠକ ଡାକିଛି

148

କନକ ବ୍ୟୁରୋ : କଂଗ୍ରେସ ଦଳ ଆସନ୍ତା ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ବୈଠକ ଡାକିଛି । ତେବେ ଏହି ବୈଠକରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ହେଲେ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହେବାପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନେଇ ଘୋଷଣା ମଧ୍ୟ କରିସାରିଛନ୍ତି ରାହୁଲ ଗାନ୍ଧୀ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦଳ ପକ୍ଷରୁ ଡକାଯାଇଥିବା ବୈଠକରେ ରାହୁଲ ଅଧ୍ୟକ୍ଷତା କରିବା ପାଇଁ ରାଜି ହେଉନଥିବା ନେଇ ସୂଚନା ମିଳିଛି । ତେବେ ଏହି ବୈଠକରେ ଦଳର ବରିଷ୍ଠ ନେତା ଏ କେ ଆଣ୍ଟୋନି ଅଧ୍ୟକ୍ଷତା କରିବେ ବୋଲି ଜଣାଯାଇଛି ।

source : google

ଏହି ବୈଠକରେ ଲୋକସଭା ନିର୍ବାଚନରେ ଦଳର କାହିଁକି ଏପରି ପରାଜୟ ହେଲା ସେନେଇ ମଧ୍ୟ ଆଲୋଚନା ହେବ । ଏହାସହ ସଂଗଠନ ବଦଳିବା ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାଯାଇଛି । କେବଳ ଏତିକି ନୁହେଁ ରାହୁଲଙ୍କ ଇସ୍ତଫା ନେଇ ମଧ୍ୟ ଆଲୋଚନା ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଆଜିର ଏହି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଅନୁପସ୍ଥିତ ରହିବେ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଏବରେଲି ଗସ୍ତରେ ଅଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଧ୍ୟକ୍ଷ ପଦ ଏ କେ ଆଣ୍ଟୋନିଙ୍କ ପାଖକୁ ମଧ୍ୟ ଯାଇପାରେ । ତେବେ ଏ ନେଇ କୌଣସି ଫଇସଲା ହୋଇନଥିଲେ ମଧ୍ୟ ଅତିଶୀଘ୍ର କଂଗ୍ରେସର ନେତୃତ୍ୱ ପରିବର୍ତନ ହେବ ନେଇ ଚର୍ଚ୍ଚା ଜୋରଧରିଛି ।