ନବୀନ ନିବାସରେ ମହାକାଳପଡାର ଦୁଇ ଭଉଣୀ । ଡଙ୍ଗାବୁଡି ଘଟଣାରେ ଆସୀମ ସାହସର ପରିଚୟ ଦେଇ ବହୁ ମୂଲ୍ୟବାନ ଜୀବନ ବଂଚାଇବାଥିବା ଦୁଇ ଭଉଣୀଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ

276

କନକ ବ୍ୟୁରୋ: ମହାକାଳପଡାର ହୁଙ୍କୁଟୋଲା ଡଙ୍ଗାବୁଡି ଘଟଣାରେ ଆସୀମ ସାହସ ଓ ବୁଦ୍ଧିମତାର ପରିଚୟ ଦେଇ ଅନେକ ମୂଲ୍ୟବାନ ଜୀବନ ବଂଚାଇବାଥିବା ପୂର୍ଣ୍ଣିମା ଗିରି ଏବଂ ସବିତା ଗିରିଙ୍କୁ ନବୀନ ନିବାସରେ ସମ୍ବର୍ଧିତ କରାଯାଇଛି । ସେମାନଙ୍କ ସାହସର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୁସ୍ତକ, ଶିକ୍ଷା ସାମଗ୍ରୀ ଓ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ହିଁ ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ପଦକ୍ଷେପ ନିଆଯିବା ସହିତ ସେମାନଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶୀତୁଆ ରାତି । ଅନ୍ଧାରରେ ମୁହଁକୁ ମୁହଁ ଦେଖିଯାଉନଥିଲା । ଆଉ ମହାନଦୀର ଅକାତକାତ ପାଣି ଭିତରୁ ଶୁଭୁଥିଲା ଆର୍ତଚିକ୍ରାର । ସେହି ଶବ୍ଦକୁ ଅନୁସରଣ କରି ମହାନଦୀ ମୁହାଣ ଅଭିମୁଖେ ମାଡିଆସିଥିଲା ଭିଡ । ଯାହା ଭିତରେ ବି ଥିଲେ ଗାଁର ଦୁଇ ଭଉଣୀ । ସବିତା ଗିରି ଓ ପୂର୍ଣ୍ଣିମା ଗିରି । ମହାକାଳପଡା ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିବା ଜାଣି ଏମାନେ ସେଠାରେ ପହଂଚିଯାଇଥିଲେ । ମହାନଦୀ ପାଖରେ ଘର ହୋଇଥିବାରୁ ନଦୀକୁ ଭୟ ନଥିଲା । ଆଉ ମନରେ ଥିଲା ଅଦମ୍ୟ ସାହସ । ଅନ୍ଧାର ରାତିରେ ମହାନଦୀରେ ବୁଡିଯାଇଥିବା ଯାତ୍ରୀଙ୍କ ପାଇଁ ଏମାନେ ଆସିଥିଲେ ଦେବଦୂତ ସାଜି । ଥରେ ଭାବନ୍ତୁ ଶୀତୁଆ ରାତି, ଗଭୀର ନଈ ପୁଣି କୁମ୍ଭୀରଙ୍କ ଭୟ । ପାଣିରେ ବୁଡିଯାଉଥିବା ଲୋକଙ୍କ ଚିକ୍ରାରରେ ଫାଟି ପଡୁଥିଲା ପୁରା ପରିବେଶ । କୂଳ କିନାରା ପାଉନଥିବା ଯାତ୍ରୀଙ୍କୁ ଦେଖି ମୁଣ୍ଡକୁ ଆସୁନଥିଲା ଉପାୟ ।

ସାହାଯ୍ୟ କରିବାକୁ ଲୋକଙ୍କ ଭିଡ ଭିତରେ ବଢିଚାଲିଥିଲା କୋଳାହଳ । ଏଭଳି ଏକ ପରିସ୍ଥିତିରେ ବଡବଡ ଲୋକଙ୍କ ପାଦ ପଛକୁ ଫେରିଯିବ । ହେଲେ ଫେରିନଥିଲା ଦୁଇ ଭଉଣୀ ସବିତା ଓ ପୂର୍ଣ୍ଣିମାଙ୍କ ପାଦ । ଆଖି ସାମ୍ନାରେ ବୁଡିଯାଉଥିବା ଲୋକଙ୍କୁ ଦେଖି ଏମାନେ ଉଦ୍ଧାର ପାଇଁ ଅଂଟା ଭିଡିଥିଲେ । ଅଧିକରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ଥିଲା ଗୋଟିଏ ଲକ୍ଷ୍ୟ । ଜଣେ ଗୋଟିଏ ହାତରେ କୂଳରେ ଥିବା ଗଛକୁ ଧରିଥାଏ । ଅନ୍ୟଜଣେ ତା ହାତକୁ ଧରି ପାଣିଭିତରେ ଥିବା ଯାତ୍ରୀଙ୍କ ଆଡକୁ ବଢାଇ ଦେଉଥାଏ । ଏମିତି ଏକାଧିକ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ଦୁଇ ଭଉଣୀ ।

ନିଜ ଜୀବନକୁ ପାଣି ଛଡାଇ ପାଣି ଭିତରକୁ ଡେଇଁ ପଡିଥିଲେ । ପ୍ରଥମେ ଦୁଇଜଣ ମହିଳାଙ୍କ ସହ କିଛି ଛୋଟ ପିଲାଙ୍କୁ ବି ଉଦ୍ଧାର କଲେ । ସବୁଠାରୁ ବଡକଥା ହେଉଛି ଏମାନଙ୍କ ଜଣେ ଭାଇ କିଛିବର୍ଷ ତଳେ ପୋଖରୀରେ ବୁଡି ପ୍ରାଣ ହରାଇଥିଲେ । ସେହିପରି ଅନ୍ୟଜଣେ ଭଉଣୀ ମଧ୍ୟ ମହାନଦୀରେ ଭାସି ଯାଇଥିଲେ । ତଥାପି ମହାନଦୀରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଏମାନେ ପଛଘୁଂଚା ଦେଇନଥିଲେ । ଯେଉଁଥିପାଇଁ ଏବେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଛି ।