୨ ଓଡ଼ିଆ ସହିଦଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ରାଶି , ସହିଦଙ୍କ ନାଁରେ ଗାଁ ସ୍କୁଲକୁ ନାମିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

1,269

କନକ ବ୍ୟୁରୋ: ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ସହିଦ ମନୋଜ ବେହେରା ଓ ସହିଦ ପ୍ରସନ୍ନ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦେଶପାଇଁ ବଳିଦାନ ଦେଇଥିବା ଏହି ଦୁଇ ବୀର ଓଡ଼ିଆ ଯବାନଙ୍କ ପିଲାଙ୍କ ଶିକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି । ପୂର୍ବରୁ ଉଭୟ ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର ।

ଅନ୍ୟପଟେ ଦେଶମାତୃକା ପ୍ରତି ସେମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ୨ ବୀର ସହିଦ ଓଡ଼ିଆ ଯବାନ ମନୋଜ ବେହେରା ଏବଂ ପ୍ରସନ୍ନ ସାହୁଙ୍କ ନାଁରେ ତାଙ୍କ ଗ୍ରାମର ବିଦ୍ୟାଳୟ ନାମିତ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହାସହ କଟକ ନିଆଳି ରତନପୁର ସହିଦ ମନୋଜ ବେହେରାଙ୍କ ଗାଁକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ଏବଂ ଜଗତସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ନାଉ ଗାଁ ପାରିଶିଖରକୁ ଦିଆଯିବ ଆଦର୍ଶ ପଞ୍ଚାୟତର ମାନ୍ୟତା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ଦୁଇ ବୀର ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଁଚି ସାରିଛି । ସେମାନଙ୍କ ବଳିଦାନ ପାଇଁ ଆଜି ସାରା ଭାରତବାସୀଙ୍କ ସହ ରାଜ୍ୟବାସୀ ଏକତ୍ରିତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ସେହିପରି ଭୁବନେଶ୍ୱରରୁ ସିଧା ୨ ସହିଦଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ଶେଷକୃତ୍ୟ ପାଇଁ ନିଆଯାଉଛି ।