ପୁଣି ଫେରିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ! ସୁଯୋଗ ଛାଡ଼ିଲେନି ନବୀନ, ପଦଯାତ୍ରାରେ କେନ୍ଦ୍ରକୁ ନବୀନ ମାରିଲେ ତେରେଛା ବାଣ।
କାର୍ଯ୍ୟକ୍ରମ ଏକ ପ୍ରସଙ୍ଗ ଭିନ୍ନ, କେନ୍ଦ୍ର ସରକାରଙ୍କୁ ଘେରିଲେ ବିଜେଡ଼ି ସୁପ୍ରିମୋ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ମେଣ୍ଟ କରିଥିଲୁ । କିନ୍ତୁ ଓଡ଼ିଶାର ଆଶା ପୂରଣ ହେଲା ନାହିଁ । ଯାହାର ଜବାବ ୨୦୧୯ ନିର୍ବାଚନରେ ଓଡ଼ିଶାବାସୀ ଦେବେ ବୋଲି କହିଛନ୍ତି ନବୀନ ।
କନକ ବ୍ୟୁରୋ: ଥମୁନି କେନ୍ଦ୍ର ଓ ରାଜ୍ୟର କଳି । ଧର୍ମେନ୍ଦ୍ର ଯେଉଁଠାରୁ ଛାଡ଼ିଥିଲେ ବୁଲେଇ ବଙ୍କାଇ କେନ୍ଦ୍ରକୁ ପୁଣି ନିଶାନା କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରସଙ୍ଗ ଭିନ୍ନ ହେଲେ ଟାର୍ଗେଟରେ କେନ୍ଦ୍ର ସରକାର । ଜନ ସମ୍ପର୍କ ପଦଯାତ୍ରାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ମୁଖ୍ୟ ଏଜେଣ୍ଡା ଥିଲା । ଯାହା ଫଳରେ ରାଜ୍ୟର ଅନେକ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହୋଇ ପାରିବ କିନ୍ତୁ ସବୁ ଆଶା କେବଳ ଆଶାରେ ହିଁ ରହିଯିବ । ଏଥିରୁ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର ଚୌକି ପାଇଁ ନିଜର ପ୍ରତିଶ୍ରୁତି କୁ ଭୁଲିଗଲେ ବୋଲି କହି ମୋଦି ସରକାରଙ୍କୁ ନିଶାନା କରିଛନ୍ତି ନବୀନ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ନବୀନ କହିଛନ୍ତି ଯେ, ବିଜେପି ସହିତ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ମେଣ୍ଟ ହୋଇଥିଲା। ଓଡ଼ିଶା ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ଏହା କ’ଣ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ କାରଣ ନୁହେଁ କି ? ଏଭଳି କିଛି ପ୍ରାଶ୍ନ ବାଣରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ କିଛି ଦିନ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେ ମେ ଚାଲୁଥିବା ବେଳେ ହଠାତ୍ ନବୀନ ଉଠାଇଛନ୍ତି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ଯାହା ହୁଏତ ଆଗାମୀ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଏକ ପ୍ରକାର ବିଗୁଲ ବଜାଇଦେଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ସେପଟେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏହାର କଡ଼ା ଜବାବ ରଖିଛନ୍ତି । ଗୋଲକ କହିଛନ୍ତି ଯେ, ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ କେତେ ଥର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଥିଲେ ନବୀନ? ୧୮ ବର୍ଷ ଶାସନ କାଳରେ ବିଜେଡ଼ିର ସ୍ଥାଣୁତାକୁ ଲୁଚାଇବା ପାଇଁ ଏଭଳି ନାଟକ କରୁଛନ୍ତି ବୋଲି ପାଲଟା ଜବାବ ରଖିଛି ବିଜେପି । ଏହାସହ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ଥଳପଥ, ଜଳ ପଥ ଓ ଆକାଶ ପଥ ଏବଂ ରେଳପଥ ସହ ଜାତୀୟ ରାଜପଥ କ୍ଷେତ୍ରରେ ଢ଼େରଗୁଣା ସହାୟତା ରାଶି ଦେଉଛନ୍ତି ତେଣୁ ସ୍ୱତନ୍ତ୍ର ପାହ୍ୟାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।