ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ନାଁ ଦେଲେ ନବୀନ : ଘୋଷଣା କଲେ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ

32

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁ ଉଘାଟନ ପରେ ବିଚ୍ଛିନାଞ୍ଚଳବାସୀଙ୍କୁ ଡବଲ ଖୁସି କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଗୁରୁପ୍ରିୟା ସେତୁକୁ ଉଦଘାଟନ ସହ ୧୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୧ଟି ଗାଁର ପରିଚୟ ବଦଳାଇବାରେ ମୁଖ୍ୟସ୍ରୋତ ପାଲଟିଛି ଏହି ଗୁରୁପୟ୍ରିୟା । ଯାହାକୁ ଲୋକାର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ୧୦୦ କୋଟିର ପ୍ୟାକେଜ ଘୋଷଣା କରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି । ଏହି ୧୦୦ କୋଟିର ପ୍ୟାକେଜରେ, ମତ୍ସ୍ୟଚାଷ, ସଡ଼କ ଯୋଗାଯୋଗ, ବିଦ୍ୟୁତିକରଣ, ପାନୀୟ ଜଳ ଯୋଗାଣ, ସ୍ୱସ୍ଥ୍ୟ ସୁବିଧା ଓ ସେତୁ ନିର୍ମାଣ ଭଳି ଅନେକ ଯୋଜନା ରହିଛି ।

ବିଚ୍ଛିନ୍ନାଞ୍ଚଳ ଏବେ ସ୍ୱାଭିମାନ ଅଞ୍ଚଳ ପାଲଟିଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେଥିପାଇଁ ଏହି ସ୍ୱାଭିମାନ ଅଞ୍ଚଳର ଜନସାଧାରଣଙ୍କ ଜୀବନଜୀବିକାରେ ଉନ୍ନତି ପାଇଁ ୧୦୦କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହାଦ୍ୱାରା ଏହି ଅଞ୍ଚଳ ଓ ସମଗ୍ର ମାଲକାନଗିରି ଜିଲ୍ଲାରେ ବିକାଶର ପ୍ରକ୍ରିୟା ତ୍ୱରାନିତ ହୋଇପାରିବ ।

ଏହି ପ୍ୟାକେଜରେ ରହିଛି:

ମତ୍ସ୍ୟଚାଷ- ଚିତ୍ରୋକୋଣ୍ଡାର ଜଳାଶୟରେ ୫ କୋଟିରୁ ଉଦ୍ଧ୍ୱର୍ ମାଛ ମାଛ ଯାଆଁଳ ଛଡ଼ାଯିବ । ଏହାଦ୍ୱାରା ଅତିକମରେ ୨ ହଜାର ମତ୍ସ୍ୟଜୀବି ପରିବାରର ଜୀବନ ଓ ଜୀବିକାରେ ଉନ୍ନତି ଆସିବ ।

ସଡ଼କ ଯୋଗାଯୋଗ– ଯୋଗାଯୋଗର ଉନ୍ନତି ପାଇଁ ୨ଟି ସଡ଼କ ପ୍ରକଳ୍ପ ହାତକୁ ନିଆଯିବ । ମକିପୁଟରୁ ଜାମୁଗୁଡା ଏବଂ ପଣସପୁଟରୁ ଯୋଡାଆମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇ ଯୋଡ଼ାଆମ୍ବ ଓ ପଣସପୁଟ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ।
ବିଦ୍ୟୁତିକରଣ- ବଡପଡାଠାରେ ଏକ ୩୩/୧୧ କେ.ଭି ସବ-ଷ୍ଟେସନ ନିର୍ମାଣ କରାଯିବ । ଏହାଦ୍ୱାରା ସ୍ୱାଭିମାନ ଅଞ୍ଚଳର ବିଦ୍ୟୁତ ଯୋଗଯୋଗ ବ୍ୟବସ୍ଥାରେ ଉନ୍ନତି ଆସିପାରିବ ।

ପାନୀୟଜଳ ଯୋଗାଣ- ବଡପଡା ଓ ପେପରମେଟଲା ଗ୍ରାମପଞ୍ଚାୟତରେ ୪ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଏବଂ ୧୦୦ ଟି ନଳକୂପ ସ୍ଥପାନ କରାଯିବ ।

ସ୍ୱାସ୍ଥ୍ୟ ସୁବିଧା– ଏହି ଅଞ୍ଚଳର ୬ଟି ଗ୍ରାମପଞ୍ଚାୟତରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକ ସ୍ଥାନରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନ ପ୍ରତିଷ୍ଠା କରାଯିବ ।

ସେତୁ- ମନ୍ୟମକୋଣ୍ଡାରେ ଏକ ସେତୁ ନିର୍ମାଣ କରାଯିବ । ଯାହାଦ୍ୱାରା ଜନଜାତିମାନଙ୍କୁ ଦ୍ୱିବାର୍ଷିକ ଉତ୍ସବ ‘ବଡ଼ଯାତ୍ରା’ ପାଳନ କରିବାରେ ସୁବିଧା ହେବ । ପୋଟେରୁ, ପୋଙ୍ଗମ, କାଙ୍ଗୁରୁକୋଣ୍ଡା, ଏମ.ଭି-୯୦, ଉଣ୍ଡୁରୁକୋଣ୍ଡା ଓ ଏମ.ଭି-୩୭ର ଉପଯୁକ୍ତ ସ୍ଥାନରେ ବୃହତ ସେତୁ ନିର୍ମାଣ କରାଯାଇ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଅଣାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି ।