ଲାଲଗଡ଼ରେ ସ୍ୱାସ୍ଥ୍ୟ ଶିବିର ! ବିଚ୍ଛିନ୍ନାଂଚଳରେ ରୋଗୀଙ୍କ ଚିକିତ୍ସା କଲେ ବଛା ବଛା ଡାକ୍ତର

54

କନକ ବ୍ୟୁରୋ: ମାନବ ସେବା ହିଁ ମାଧବ ସେବା, ଏହି ବାର୍ତ୍ତା ନେଇ ଆଦିବାସୀଙ୍କୁ ମାଗଣା ସ୍ୱାସ୍ଥ ସେବା ଯୋଗାଇ ଦେବା ଲାଗି ଲାଲଗଡରେ ପହଂଚିଛନ୍ତି ରାଜ୍ୟର ବଛା ବଛା ବିଶେଷଜ୍ଞ ଡାକ୍ତର । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାଠାରେ ଆୟୋଜିତ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣା ଔଷଧ ଦେଇଛି ଚିତ ଜ୍ଞାନୀ ଟ୍ରଷ୍ଟ ।

ଲାଲଗଡରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା । ଲାଲ ଭୟରେ ଆତଙ୍କିତ ଆଦିବାସୀଙ୍କ ଅଗଣାରେ ପହଁଚିଛିନ୍ତି ବିଶେଷଜ୍ଞ ଡାକ୍ତର । ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଚଂଳର କୋରୁକୋଣ୍ଡାରେ ମେଗା ସ୍ୱାସ୍ଥ୍ୟ ଶିବିର କରିଛି କଟକର ଚିତ ଜ୍ଞାନୀ ଚ୍ୟାରିଟେବୁଲ ଟ୍ରଷ୍ଟ । ଜିଲ୍ଲାର ଅଧିକାଂଶ ଅଂଚଳରେ ସ୍ୱାସ୍ଥ୍ୟ ସେବା ପହଂଚି ପାରୁନଥିବାରୁ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରର ଆୟୋଜନା କରାଯାଇଥିଲା । ଘର ଅଗଣାକୁ ଡାକ୍ତରବାବୁ ଆସିଥିବା ଶୁଣି ସ୍ୱାସ୍ଥ୍ୟ ଶିବିରକୁ ଛୁଟି ଥିଲା ଦୁର୍ଗମରୁ ଅତିଦୁର୍ଗମ ଅଂଚଳରୁ ଆଦିବାସୀ ରୋଗୀଙ୍କ ସୁଅ । ଗୋଟିଏ ସ୍ଥାନରେ ରୋଗୀଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି । ଯାହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ନିରିହ ଆଦିବାସୀ ।

ପୂର୍ବରୁ ଏହି ଟ୍ରଷ୍ଟ ରାଜ୍ୟର ୨୨ଟି ଜିଲ୍ଲାରେ ୨୮ଟି ମେଗା ସ୍ୱାସ୍ଥ୍ୟ ଶିବିର କରିସାରିଛି । ମାଲାକନଗିରିରେ ଆୟୋଜିତ କ୍ୟାମ୍ପରେ ୩୬ ଜଣ ପ୍ରଫେସର ଓ ଆସୋସିଏଟ ପ୍ରଫେସରଙ୍କ ସମେତ ମୋଟ ୭୦ ଜଣ ପାରା ମେଡିକାଲ ଷ୍ଟାଫ ସାମିଲ ହୋଇଥିଲେ । ପ୍ରଥମ ଦିନରେ ୭ଶହ ଛାତ୍ରଛାତ୍ରୀଙ୍କର ଚିକିତ୍ସା କରାଯାଇ ଥିବାବେଳେ ଦ୍ୱିତୀୟ ଦିନରେ ୩୦୦ରୁ ଅଧିକ ରୋଗୀଙ୍କୁ ମାଗଣା ଚିକିତ୍ସା ଯେଗାଇ ଦିଆଯାଇଛି । ଦୁର୍ଗମ ଅଂଚଳରେ ଆଧୁନିକ ଚିକିତ୍ସା ଯୋଗାଇବା ଏହି ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଟ୍ରଷ୍ଟ ମୁଖ୍ୟ ଡାକ୍ତର ଦତେଶ୍ୱର ହୋତା ।

ତେବେ ମାଲକାନଗିରି ପରି ଅପହଁଚ ଇଲାକରେ କେବେ ରାସ୍ତା କଡରେ ପ୍ରସବ ତ କେତେବେଳେ ଡାକ୍ତରଙ୍କ କାନ୍ଧରେ ଗର୍ଭବତୀ ବୁହା ହବାର ଚିତ୍ର ଚର୍ଚ୍ଚାକୁ ଆସିଛି । ଏପରି ସ୍ଥିତିରେ ଏଭଳି ମେଗା ସ୍ୱାସ୍ଥ୍ୟ ଶିବିରକୁ ସମ୍ପୁର୍ଣ ସମର୍ଥନ କରିଛି ଜିଲ୍ଲା ପ୍ରଶାସନ ।