ବାଲୁକା ମରୁଭୂମି ପାଲଟିଲାଣି କେନ୍ଦ୍ରାପଡାର ଚିତ୍ରୋତ୍ପଳା ନଦୀ! ଲୋକେ ହନ୍ତସନ୍ତ, ଚୁପ୍ ବସିଛନ୍ତି ସରକାର

51

କନକ ବ୍ୟୁରୋ : ବିପଦରେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକର ଜୀବନ ରେଖା ଚିତ୍ରୋତ୍ପଳା ନଦୀ । ନଦୀର ଉତ୍ପତି ସ୍ଥଳ ପୋତି ହୋଇଯିବାରୁ କମୁଛି ଜଳସ୍ତର । ଫଳରେ ନଦୀ ତାର ଅସ୍ତିତ୍ୱ ହରାଇବା ସହିତ ଏକ ବାଲୁକା ମରୁଭୁମିରେ ପରିଣତ ହେବାକୁ ବସିଲାଣି । ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀର ଜଳ ଉପରେ ନର୍ଭର କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ଲୋକ ଏବେ ଚିନ୍ତାରେ ପଡିଯାଇଛନ୍ତି ।

କେନ୍ଦ୍ରାପଡା ଗରଦପୁର ବ୍ଲକ ଦେଇ ବହିଯାଇଛନ୍ତି ଚିତ୍ରୋତ୍ପଳା, ପାଇକା, ମହାନଦୀ , ଲୁଣା ଏବଂ କରାଣ୍ଡିଆ ପରି ୫ଟି ନଦୀ । ବର୍ଷା ୪ ମାସ ନଦୀ ଗୁଡିକ ଫୁଲି ଉଠନ୍ତି । ଆଉ ବ୍ଲକର ଅନେକ ଅଂଚଳ ବନ୍ୟାରେ ପ୍ରଭାବିତ ହୁଏ । ହେଲେ ବର୍ଷା ସରିଯିବା ପରେ ନଦୀରେ ଜଳସ୍ତର କମି ବାଲୁକା ମରୁଭୁମିରେ ପରିଣତ ହେବାକୁ ବସିଛି । ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଲୋକ ଏବେ ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟ ବର୍ଷ ଅପେକ୍ଷା ଏବର୍ଷ ଚିତ୍ରୋତ୍ପଳାରେ ୭୦ ପ୍ରତିଶତ କମ୍ ଜଳ ପ୍ରବାହିତ ହେଉଛି । ଫଳରେ କୃଷି କାର୍ଯ୍ୟ ଠାରୁ ଆରମ୍ଭ କରି ପାନୀୟ ଜଳ, ଗାଧୁଆ ପାଧୁଆ ଏବଂ ମତ୍ସଜୀବୀ ମାଛ ମାରିବାରେ ବହୁ ସମସ୍ୟା ଭୋଗୁଛନ୍ତି ।

ମହାନଦୀ ଅବବାହିକାର ପ୍ରବାହିତ ହେଉଥିବା ନଦୀମାନଙ୍କ ମଧ୍ୟରେ ଚିତ୍ରୋତ୍ପଳା ଏକ ପ୍ରମୁଖ ନଦୀ । କଟକ ତିଳକଣା ବଡ଼ପଡାରୁ ବାହାରି ଥିବା ଚିତ୍ରୋତ୍ପଳା, ୪୨ କିଲୋମିଟର ଅତିକ୍ରମ କରିବା ପରେ ମାର୍ଶାଘାଈ କୁଆଁରପାଳ ଗାଁ ନିକଟରେ ଲୁଣା ନଦୀରେ ମିଶିଛି । ନଦିଶଯ୍ୟା ପୋତି ହୋଇଯିବାରୁ ଜଳ ପ୍ରବାହ କମୁଛି । ତାସାଙ୍ଗକୁ ଛତିଶଗଡ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଜଳ ପ୍ରବାହ କମିବାର ଅନ୍ୟ କାରଣ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ସରକାର ଯଥାଶିଘ୍ର ଚିତ୍ରୋତ୍ପଳା ନଦୀରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।