ଧରାପଡିଲା ଚୀନର ଚକ୍ରାନ୍ତ ! ଉତ୍ତର ଡୋକଲାମକୁ କବଜା କଲା ଚୀନ । ନିର୍ମାଣ କରିଛି ସାତଟି ହେଲିପ୍ୟାଡ, ୧୦ ଘାଟି 

33

କନକ ବ୍ୟୁରୋ : ଚୀନର ଚକ୍ରାନ୍ତ ପଦାରେ ପଡିଛି । ଭାରତ –ଚୀନ ସୀମାରେ ପୁଣିଥରେ ଚୀନ ଆରମ୍ଭ କରିଦେଇଛି  କଳାକାରନାମା । ଯାହାକୁ ନେିଇ  ସୀମାରେ ଭୟଙ୍କର ପରିସ୍ଥିତି  ସୃଷି ହେବାକୁ ଯାଉଛି । ଭାରତକୁ ଲାଗି ପାକିସ୍ତାନୀ ବନ୍ଦରରେ ଚୀନ ଏହାର ବୁଡ଼ା ଜାହାଜ ମୁତୟନ କରିଥିବା ବେଳେ ପୁଣି ଡୋକଲାମରେ ଉତ୍ତେଜନା ସୃଷ୍ଟି କରିଛି। ଗତ ବର୍ଷ ଯେଉଁ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ୭୦ ଦିନ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲା ଚୀନ ସେଠାରେ ପୁଣି ଦାଦାଗିରି ଆରମ୍ଭ କରିଛି। ଭୁଟାନର ଏହି ଅଞ୍ଚଳକୁ ଚୀନ ସେନା ସଂପୂର୍ଣ୍ଣ ଭାବେ ନିଜ କବଜାକୁ ନେଇଯାଇଛନ୍ତି। କେବଳ ସେତିକି ନୁହେଁ, ସେଠାରେ ସମରସଜ୍ଜା ମଧ୍ୟ ଆରମ୍ଭ ହୋଇଯାଇଛି।

ଉପଗ୍ରହ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦୀୟ କ୍ଷେତ୍ରରେ ଚୀନ ୭ଟି ହେଲିପ୍ୟାଡ, ସେନାଙ୍କ ରହିବା ପାଇଁ ୧୦ଟି ସ୍ଥାୟୀ ଶିବିର ନିର୍ମାଣ ସାରିଛି। ଏଥି ସହିତ ଏକାଧିକ ସୁଡ଼ଙ୍ଗର ନିର୍ମାଣକାର୍ଯ୍ୟମଧ୍ୟ ଜାରି ରହିଥିବା ଖବର ମିଳିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ଇଲାକାରେ ଚୀନର ଅନେକ ବୁଲେଟ ପ୍ରୁଫ୍ ଯାନବାହାନର ଚଳପ୍ରଚଳ ଏବଂ ବିପୁଳମାତ୍ରାରେ ଚୀନ୍ ସୈନ୍ୟଙ୍କ ଉପସ୍ଥିତି ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

ମିଳିଥିବା ଖବର ମୁତାବକ, ଗତ ୧୦ ତାରିଖରୁ ଚୀନ ଯୁଦ୍ଧକାଳୀନ ଭିତ୍ତିରେ ଏହିସବୁ ନିର୍ମାଣ ଜାରି ରଖିଥିବା ଉପଗ୍ରହ ଫଟୋଚିତ୍ରରୁ ଜଣାପଡ଼ିଛି। ପ୍ରାୟ ୧୮୦୦ ଚୀନ ସେନା ଏହି ସ୍ଥାନରେ ସ୍ଥାୟୀ ଭାବେ ନିୟୋଜିତ ରହିଛନ୍ତି। ସେହିଭଳି ସିକିମ-ଭୁଟାନ-ତିବ୍ଦତର ଅତ୍ୟନ୍ତ ସମ୍ବେଦନଶୀଳ ତ୍ରିକୋଣଭୂମିରେ ଚୀନ ୭ଟି ହେଲିପ୍ୟାଡ ନିର୍ମାଣ କରୁଛି। ଏହି ହେଲିପ୍ୟାଡର ବ୍ୟାସ ୨୫ ମିଟର ହୋଇଥିବା ବେଳେ ଏଠାରେ ଚୀନର ସବୁଠାରୁ ବଡ଼ ହେଲିକପ୍ଟର ଓହ୍ଲାଇ ପାରିବ ବୋଲି କୁହାଯାଉଛି। ଏହି ଅଞ୍ଚଳରେ ପ୍ରବଳ ଥଣ୍ଡା ସତ୍ତ୍ୱେ ଚୀନ୍ ରାସ୍ତା ନିର୍ମାଣ କାର୍ୟ୍ୟକୁ ତ୍ୱରାନ୍ଵିତ କରିଥିବା ମଧ୍ୟ ଉପଗ୍ରହ ଫଟୋରୁ ସ୍ପଷ୍ଟ ହୋଇଛି। ସେହିପରି ପ୍ରତିପକ୍ଷ ସେନାର ଗତିବିଧି ଅନୁଧ୍ୟାନ ପାଇଁ ମଧ୍ୟ ଏହି ଅଞ୍ଚଳରେ ଏକ ସୁଉଚ୍ଚ ଓ୍ଵାଚ ଟାଓ୍ଵାର ନିର୍ମିତ ହୋଇଛି। ଏପରିକି ଭାରତୀୟ ସେନାଙ୍କ ଦଖଲରେ ଥିବା ଏହି ସୀମାର ଟ୍ରେଞ୍ଚଠାରୁ ମାତ୍ର ୧୦ ମିଟର ଦୂରରେ ଏହି ଓ୍ଵାଚ ଟାଓ୍ଵାର ରହିଛି। ଏହି ଟାଓ୍ଵାରରୁ ଗ୍ନଥାଙ୍ଗ ଉପତ୍ୟକାର ଗୁପୁପ୍ ଠାରୁ ଜୁଲୁକ୍ ଯାଏଁ ଅଞ୍ଚଳର ଅନୁଧ୍ୟାନ କରିହେବ। ଭାରତୀୟ ସେନା ଏହି ଗୁପୁପ୍ ଅଞ୍ଚଳରେ ନିଜର କ୍ୟାମ୍ପ କରିଥିବାରୁ ସେନାର ସମସ୍ତ ଗତିବିଧିକୁ ଚୀନସେନା ଅନୁଧ୍ୟାନ କରୁଛି।

ଉତ୍ତର ଡୋକଲାମର ପ୍ରାୟ ସମସ୍ତ ପାହାଡ଼ ଓ ପର୍ବତ ଶୃଙ୍ଗରେ ଯୁଦ୍ଧ ପାଇଁ ଘାଟି ନିର୍ମାଣ କରିବା ସହ ଅନେକ ସୁଡ଼ଙ୍ଗ ମଧ୍ୟ ଖୋଳା ହେଉଛି। ଚୀନ୍ ସେଠାରେ ଜାରି ରଖିଥିବା ଏପରି ସାମରିକ ପ୍ରସ୍ତୁତି ଭାରତ ପାଇଁ ବିପଦର କାରଣ ହୋଇପାରେ ବୋଲି କୁହାଯାଉଛି। ସ୍ମରଣଯୋଗ୍ୟ, ଚୀନ୍ ଗତବର୍ଷ ଜୁନମାସରେ ଏହି ବିବାଦୀୟ କ୍ଷେତ୍ର ସୀମାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ସୈନ୍ୟଠୁଳ କରିବାରୁ ଭାରତ ଏହାର ବିରୋଧ କରିଥିଲା। ଦୀର୍ଘ ୭୨ ଦିନର ମୁହାଁମୁହିଁ ସ୍ଥିତି ପରେ ଚୀନସେନା ପଛକୁ ଘୁଞ୍ଚିଥିଲେ। ଉକ୍ତ ସମୟରେ ଦୁଇଦେଶର ପ୍ରତିନିଧିଙ୍କ ମଧ୍ୟରେ ଏହାର ସମାଧାନ ନେଇ ଦୀର୍ଘ ଆଲୋଚନା ହେବା ପରେ ବିବାଦ ଥମିଥିଲା। ମାତ୍ର ସାମ୍ପ୍ରତିକ ସ୍ଥିତିରୁ ଚୀନ୍ ନିଜ ଆଭିମୁଖ୍ୟରୁ ଆଦୌ ଓହରିନଥିବା ସ୍ପଷ୍ଟ ହୋଇଛି। ତେବେ ଏହା ସେତେଟା ଗମ୍ଭୀର ବିଷୟ ନୁହେଁ ବୋଲି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ଗଣମାଧ୍ୟମକୁ କହିବା ପରେ ଏହାକୁ ସାମରିକ ବିଶାରଦମାନେ ତୀବ୍ର ସମାଲୋଚନା କରିଛନ୍ତି।