ମାଳଦ୍ୱୀପ ସଂକଟରେ ବାହ୍ୟ ହସ୍ତକ୍ଷେପକୁ ଚୀନର ନାପସନ୍ଦ ! ପରୋକ୍ଷରେ ଭାରତକୁ ଇସାରା କରି ଦେଲା ଚେତାବନୀ

28

କନକ ବ୍ୟୁରୋ : ମାଳଦ୍ୱୀପ ଉପରେ ତୀକ୍ଷଣ ନଜର ରଖିଛି ଭାରତ । ଏଥିପାଇଁ ନୌସେନା ଓ ବାୟୁ ସେନାକୁ ସଜାଗ ରଖାଯାଇଛି । ଯେକୌଣସି ମୁହୂର୍ତରେ ସେଠାକୁ ଭାରତୀୟ ସେନାକୁ ପଠାଯାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ମାଳଦ୍ୱୀପ ପ୍ରସଙ୍ଗରେ ଭାରତ ହସ୍ତକ୍ଷେପ ନ କରିବାକୁ ଚୀନ କହିଛି । ବେଜିଂ ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ସମ୍ପାଦକୀୟରେ ଭାରତର ଭୂମିକାକୁ ତୃତୀୟ ପକ୍ଷ କହିବା ସହ ହସ୍ତକ୍ଷେପ ନକରିବାକୁ କହିଛି ଚୀନ । ଜରୁରୀକାଳିନ ପରିସ୍ଥିତି ଘୋଷଣା ହେବା ପରେ ଜଟିଳ ହେବାରେ ଲାଗିଛି ମାଳଦ୍ୱୀପର ସ୍ଥିତି । ୯ ଜଣ ପ୍ରଭାଶାଳୀ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ ହୋଇଛି । ମୁଖ୍ୟ ବିଚାରପତିଙ୍କ ସମେତ ଦୁଇ ଜଣ ବିଚାରପତିଙ୍କୁ ଗିରଫ କରାଯାଇଛି । ଦେଶରେ ଦେଖାଦେଇଥିବା ଅସ୍ଥିରତା ଓ ସଂକଟ ସମୟରେ ପ୍ରତିନିଧି ଓ ସେନା ପଠାଇ ସହାୟତା କରିବାକୁ ପାଇଁ ଭାରତକୁ ମଧ୍ୟ ଅନୁରୋଧ କରାଯାଇଛି ।

ମାଳଦ୍ୱୀପ ସଂକଟରେ କୌଣସି ବାହ୍ୟ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି କହିଛି ଚୀନ୍ । ଭାରତର ନାଁ ନନେଇ ଚୀନ୍ ପକ୍ଷରୁ ଏହା କୁହାଯାଇଛି । ଚୀନ୍ ମାଳଦ୍ୱୀପରେ ବ୍ୟାପକ ପୁଂଜି ନିବେଶ କରିଥିବାରୁ କୌଣସି ବାହ୍ୟ ହସ୍ତକ୍ଷେପକୁ ପସନ୍ଦ କରୁନି । ଜୁରରୀକାଳୀନ ପରିସ୍ଥିତି ଘୋଷଣା ପରେ କିନ୍ତୁ ମାଳଦ୍ୱୀପ ପଟୁ ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ, ଭାରତ ମଧ୍ୟସ୍ଥତା କରୁ ବୋଲି ଦାବି କରି ଆସୁଛନ୍ତି । ଯାହାକୁ ଚୀନ୍ ବିରୋଧ କରୁଥିବା ସ୍ପଷ୍ଟ ହୋଇଛି । ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍ ଦେଶରେ ଜରୁରୀକଳିନ ପରିସ୍ଥିତି ଘୋଷଣା ପରେ ଏବେ ମାଳଦ୍ୱୀପରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି । ଏଭଳିକି ଦେଶରେ ଅରାଜକତା ସୃଷ୍ଟି ହେବାର ଆଶଙ୍କା ଘନିଭୂତ ହୋଇଛି । ମାଲଦୀପରେ ଚାଲିଥିବା ରାଜନୈତିକ ସଂକଟର ସମାଧାନ ପାଇଁ ୧୯୮୮ ଭଳି ଭାରତ ପୁଣି ଥରେ ହସ୍ତକ୍ଷେପ କରୁ । ଟ୍ୱିଟ୍ କରି ଭାରତକୁ ଏପରି ଅପିଲ କରିଛନ୍ତି ମାଲଦୀପର ନିର୍ବାସିତ ରାଷ୍ଟ୍ରପତି ମହମ୍ମଦ ନାସିଦ ।

ଟ୍ୱିଟ କରି ମହମ୍ମଦ ନାସିଦ ଲେଖିଛନ୍ତି, ମାଲଦୀପର ସମାଧାନ ପାଇଁ ଭାରତ ମଧ୍ୟସ୍ଥି କରୁ । ନାସିଦଙ୍କ ଟ୍ୱିଟ୍ ଚୀନକୁ ଶକ୍ତ ଝଟକା ଦେଇଛି । କାରଣ ୨ ଦିନ ତଳେ ସୈନ୍ୟ ଦଖଲକୁ ବିରୋଧ କରି ଆଲୋଚନା ଜରିଆରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲା ଚୀନ ।