ଦିଲ୍ ନାହିଁ ଦିଲ୍ଲୀର : ୭ଦିନ ପରେ ବନ୍ଦ ଘରୁ ଉଦ୍ଧାର ହେଲେ ଦୁଇ ଭଉଣୀ

26

ଆମେ ଏହାକୁ ବିଶ୍ୱାସ କରିନପାରିଲେ ବି ଏହା ସତ । ୭ ଦିନ ଧରି ଘର ବନ୍ଦ । ବନ୍ଧ ଘର ଭିତରେ ଦୁଇଟି ଶିଶୁ। ନା ଅଛି ପାଣି, ନା ଅଛି ଖାଦ୍ୟ । ଦୁଇ କୁନି ଝିଅ ଅନ୍ଧାରୀ କୋଠରୀରେ ୭ ଦିନ କାଟିବା ପରେ ଉଦ୍ଧାର କରିଛି ପୁଲିସ ।ଏହି ସମ୍ବେଦନଶୀଳ ଘଟଣା ଘଟିଛି ନୂଆଦିଲ୍ଲୀ ସମୟପୁର ବାଦଳି ଅଂଚଳରେ ଥିବା ନେପାଳୀ କଲୋନୀରେ । ରୁଦ୍ଧ କୋଠରୀରୁ ୨ଶିଶୁ ଉଦ୍ଧାର ହେବା ପରେ ସାରା ଦେଶରେ ଚାଂଚଲ୍ୟ ଖେଳି ଯାଇଛି । ଆଉ ସବୁଠୁ ବିଡମ୍ବନାର କଥା ହେଉଛି, ଏହି ଦୁଇ ଶିଶୁକୁ ମରଣ ମୁହଁକୁ ଠେଲି ଦେଇଥିଲେ ବାପା ମାଆ। ୮ବର୍ଷ ଓ ୩ବର୍ଷର ଦୁଇ ଭଉଣୀକୁ ଘରେ ବନ୍ଦ କରି ପଳାଇ ଯାଇଥିଲେ ବାପା,ମା’ । ବନ୍ଦ ଘରୁ ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଂଚି ଘରର କବାଟ ଭାଙ୍ଗି ଘରକୁ ପଶିଥିଲା । ସେଠାରେ ଭୋକ ଉପାସରେ ପଡିଥିବା ୨ଝିଅଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ଝିଅଙ୍କ ବାପା ଅତ୍ୟଧିକ ମଦ୍ୟପାନ କରୁଥିବାରୁ ଏଥିରେ ଉତକ୍ଷିପ୍ତ ହୋଇ ୨ମାସ ପୂର୍ବେ ପୁଅକୁ ଧରି ମାଆ କୁଆଡେ ଚାଲିଗଲେ । ଏହାପରେ ବାପାଙ୍କ ସହ ରହୁଥିବା ଏହି ଦୁଇ ଝିଅଙ୍କୁ ଅଗଷ୍ଟ ୧୫ତାରିଖରେ ବାପା ଘରେ ବନ୍ଦ କରିଦେଇ କୁଆଡେ ଚାଲିଯାଇଥିଲେ । ଏନେଇ ଅଗଷ୍ଟ ୨୧ ତାରିଖରେ ପୁଲିସକୁ ଖବର ଦେଇଥିଲେ ଘର ମାଲିକ । ରୁଗ୍ଣ ଅବସ୍ଥାରେ ଦୁଇ ଝିଅଙ୍କୁ ଉଦ୍ଧାର କରି ବାବା ସାହେବ ଆମ୍ବେଦକର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଦୁଇ ଭଉଣୀଙ୍କ ଦେହସାରା କ୍ଷତବିକ୍ଷତ ଚିହ୍ନ ଥିଲା । ଘରେ ପଡିଥିବା ଏକ ଭଙ୍ଗା ଦଦରା ଖଟରେ ଦୁହେଁ ପରସ୍ପରଙ୍କୁ ହାତକୁ ଧରି ଶୋଇଥିଲେ । ସଂକମଣ ଯୋଗୁଁ ଦୁହିଁଙ୍କ ଅବସ୍ଥା ଗୁରୁତର ରହିଥିଲା । କିଛି ନଖାଇ ନପିଇ ଏମିତି ୭ଦିନ ଧରି ଦୁଇ ଭଉଣୀ ବନ୍ଦ ଘରେ ପଡିରହିଥିଲେ । ୪ଦିନ ସ୍ୱତନ୍ତ୍ର ଚିକିତ୍ସା ପରେ ଏବେ ଦୁହିଁଙ୍କ ଅବସ୍ଥା ସୁଧୁରିଛି । ଦୁଇ ଝିଅଙ୍କ ଜେଜେମାଆଙ୍କ ସହ ପୁଲିସ ଯୋଗାଯୋଗ କରିଥିବାବେଳେ ସେ ମଧ୍ୟ ବୃଦ୍ଧାଶ୍ରମରେ ରହୁଥିବାରୁ ଦୁହିଁଙ୍କୁ ରଖିବା ପାଇଁ ମନା କରିଦେଇଛନ୍ତି । ତେବେ ଦୁଇ ଭଉଣୀ ସୁସ୍ଥ ହେଲା ପରେ ତାଙ୍କୁ ବାଳାଶ୍ରମରେ ରଖାଯିବ ବୋଲି ସିଡବ୍ଲୁସି ପକ୍ଷରୁ କୁହାଯାଇଛି ।