କେମିତି ଅଛି ‘ବିକ୍ରମ’? ନାସା ପଠାଇଥିବା ଅପ୍-ଲିଙ୍କର ଡାଉନଲିଙ୍କ୍ ଦେଲା ଅରବିଟର ହେଲେ ବିକ୍ରମ ଦେଲାନି କୌଣସି ସଂକେତ

ଯୋଗାଯୋଗ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଇସ୍ରୋ ସମେତ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା

1,200

କନକ ବ୍ୟୁରୋ: କିପରି ଅଛି ବିକ୍ରମ ଲାଣ୍ଡର? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ କେବଳ ଇସ୍ରୋ ନୁହେଁ ବିଶ୍ୱର ସବୁଠୁ ବଡ଼ ସ୍ପେସ୍ ଏଜେନ୍ସୀ ନାସା ମଧ୍ୟ ଉଦ୍ୟମ ଚଳାଇଛି । ଚନ୍ଦ୍ରଯାନ-୨ର ଲାଣ୍ଡର ଓ ଅର୍ବିଟର ସହ ଯୋଗାଯୋଗ ସ୍ଥାପନ ପାଇଁ ଅନବରତ ଉଦ୍ୟମ କରାଯାଉଛି । ବିକ୍ରମ ସହ ପୁନଃ ସଂଯୋଗ ସ୍ଥାପନ ପାଇଁ ବାରମ୍ବାର ଚେଷ୍ଟା କରୁଥିଲେ ବି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋକୁ ଏପର୍ଯ୍ୟନ୍ତ ସଫଳତା ମିଳି ପାରିନାହିଁ । ନାସାର ଡିପ୍ ସ୍ପେସ୍ ନେଟୱର୍କ ମଧ୍ୟ ପ୍ରୟାସ ଜାରିରଖିଛି ।

 

ସେପ୍ଟେମ୍ବର ୧୧ ତାରିଖ । ଗୋଲ୍ଡଷ୍ଟୋନ୍ ପର୍ଯ୍ୟବେକ୍ଷଣାଗାର, ଆମେରିକା । ଆମେରିକାର କାଲିଫର୍ନିଆଠାରେ ଥିବା ନାସାର ଗୋଲ୍ଡଷ୍ଟୋନ ପର୍ଯ୍ୟବେକ୍ଷଣାଗାରରୁ ଚନ୍ଦ୍ରଯାନ-୨ର ଅର୍ବିଟର ଓ ଲାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଉଦ୍ୟମ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅପ୍-ଲିଙ୍କ୍ ଓ ଡାଉନ୍-ଲିଙ୍କ୍ ପାଇଁ ସଂକେତ ପଠାଯାଇଥିଲା । କିଛି ସମୟ ପରେ ଗୋଲ୍ଡଷ୍ଟୋନ ଆଂଟିନାରେ ଅପ୍-ଲିଙ୍କ ସଂକେତ ଦୃଶ୍ୟମାନ ହୋଇଥିଲା । ଏହା ପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ଅର୍ବିଟରର ଡାଉନ୍-ଲିଙ୍କ୍ । ଅର୍ବିଟରର ଅପ୍-ଲିଙ୍କ୍ ଓ ଡାଉନ୍-ଲିଙ୍କ୍ ତଥ୍ୟକୁ ଆଂଟିନା ଧରି ପାରିଥିବା ବେଳେ ବିକ୍ରମରୁ ଡାଉନ୍-ଲିଙ୍କ ସିଗନାଲ୍ ଆସିନଥିଲା । ୪ ଘଂଟା ଉଦ୍ୟମ ପରେ ବି ଲାଣ୍ଡର ସହ ଯୋଗାଯୋଗ ହୋଇ ପାରିନଥିଲା ।

ସେପ୍ଟେମ୍ବର ୧୨ ତାରିଖ ।ଅଷ୍ଟ୍ରେଲିଆ କାନବେରା ଡିପ୍ ସ୍ପେସ୍ ଟ୍ରାକିଂ ଷ୍ଟେସନ୍ । କାନବେରା ଡିପ୍ ସ୍ପେସ୍ କମ୍ୟୁନିକେସନ୍ ଆର୍ଥ ଷ୍ଟେସନ୍, ଉଭୟ ଅର୍ବିଟର ଓ ଲାଣ୍ଡରକୁ ଯୋଗାଯୋଗ ପାଇଁ ପ୍ରୟାସ କରିଥିଲା । ପ୍ରାୟ ସାଢ଼େ ତିନି ଘଂଟା ଧରି ଚାଲିଥିଲା ଏହି ଅପରେସନ୍ । ଅର୍ବିଟର ସହ ଦୁଇ ପଟୁ ଯୋଗାଯୋଗ କରିବା ପାଇଁ ସଫଳ ହୋଇଥିଲେ ମହାକାଶ ବିଜ୍ଞାନୀ । ହେଲେ ଲାଣ୍ଡର ବିକ୍ରମ, କୌଣସି ସଂକେତ ପଠାଇ ପାରିନଥିଲା । ଲାଣ୍ଡରର ନେଟ୍ୱର୍କକୁ ଭେଦ କରିବା ସମ୍ଭବ ହୋଇନଥିଲା ।