ଘାତକ ହେଲା ନୌ-ଯାତ୍ରା: ଗୋଦାବରୀ ନଦୀରେ ବୋଟ ବୁଡି ୧୩ ମୃତ, ୩୬ ନିଖୋଜ

ଆନ୍ଧ୍ରପ୍ରଦେଶ ଦେବୀପଟନମ ନିକଟରେ ଘଟିଛି ଅଘଟଣ; କ୍ରୁ ମେମ୍ବରଙ୍କୁ ମିଶାଇ ବୋଟରେ ଯାତ୍ରା କରୁଥିଲେ ୭୧ ଜଣ

358

କନକ ବ୍ୟୁରୋ: ମାଲକାନଗିରିର ସୀମାନ୍ତ ଜିଲ୍ଲା ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀରେ ଗୋଦାବରୀ ନଦୀରେ ଡଙ୍ଗାବୁଡି ୧୩ଜଣଙ୍କ ଜୀବନ ଯାଇଛି । ୨୩ ଜଣ ଉଦ୍ଧାର ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଦେବୀ ପଟ୍ଟନମ ପର୍ଯ୍ୟଟନ ସ୍ଥଳ ନିକଟରେ ଏହି ହଙ୍ଗାବୁଡି ଘଟିଛି । ମିଳିଥିବା ସୂଚନା ଅନୁସାରେ ୬୦ ଲୋକଙ୍କୁ ନେଇ ଯାତ୍ରା କରୁଥିବା ଡଙ୍ଗାଟି ହଠାତ ବୁଡି ଯାଇଥିଲା । କିଛି ଲୋକ ପହଁରି ପହଁରି କୂଳକୁ ଆସିଥିବା ବେଳେ ଅନେକ ନିଖୋଜ ହୋଇଯାଇଥିଲେ । ଏହାରି ଭିତରେ ୧୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ଏହି ଡଙ୍ଗାରେ ଲାଇଫ ଜ୍ୟାକେଟ ମଧ୍ୟ ଥିବା ଦାବି କରାଯାଉଛି । କିନ୍ତୁ କେଉଁ ପରିସ୍ଥିତିରେ ଏହି ଡଙ୍ଗାବୁଡି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ପ୍ରାଥମିକସ୍ତରରେ କୁହାଯାଉଛି ଯେ ମଝି ନଈରେ ଏକ ପଥର ସହ ଧକ୍କା ହେବା ପରେ ଡଙ୍ଗାଟି ଭାରସାମ୍ୟ ହରାଇଥିଲା । ସେପଟେ ଡଙ୍ଗାବୁଡି ପରେ ରାଜ୍ୟ ଉଦ୍ଧାରକାରୀ ଟିମ ଓ ଏନଡିଆରଏଫ ସମେତ ନୈସେନାର ସହଯୋଗ ବି ଲୋଡା ଯାଇଥିଲା ।

ସେପଟେ ଗତ କିଛି ଦିନ ଧରି ଗୋଦାବରି ନଦୀରେ ପ୍ରାୟ ୦୫ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରିଥିବାରୁ ଜଳ ରାଶି ଗଭୀର ଓ ଅଶାନ୍ତ ରହିଥିଲା । ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ମୃତକଙ୍କ ପରିବାର ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିପାରନ୍ତି ବୋଲି କୁହାଯାଉଛି ।