ଚଳିତ ବର୍ଷ ଚନ୍ଦକାରେ ବୃଦ୍ଧି ପାଇଛି ପକ୍ଷୀ ସଂଖ୍ୟା ! ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଅଧିକ

76

କନକ ବ୍ୟୁରୋ : ଚନ୍ଦକାରେ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଶୀତ ଦିନେ ୧୦ ହଜାର ପକ୍ଷୀଙ୍କ ଆଗମନ ହୋଇଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧୩ ହଜାର ୮ ଶହକୁ ଛୁଇଁଛି । ତେଣୁ ଚଳିତ ବର୍ଷ ପ୍ରାୟ ୪ ହଜାର ଅଧିକ ପକ୍ଷୀ ଏଠାରେ ଶୀତ ଦିନିଆ ଡେରା ପକାଇଛନ୍ତି । ସେହିଭଳି ଗତ ବର୍ଷ ତୁଳନାରେ ଏ ବର୍ଷ ପ୍ରଜାତି ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ ୭୨ ପ୍ରଜାତିର ପକ୍ଷୀ ଏଠାକୁ ଆସିଥିବାବେଳେ ଏବର୍ଷ ୬୮ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଗତ ବର୍ଷ ୧୯ ପ୍ରକାର ବିଦେଶାଗତ ପକ୍ଷୀଙ୍କ ସ୍ଥାନରେ ଚଳିତ ଥର ୨୭ ପ୍ରକାର ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।

ଶୁକ୍ରବାର ଶେଷ ହୋଇଥିବା ପକ୍ଷୀଗଣନାରୁ ଏଭଳି ତଥ୍ୟ ବନ ବିଭାଗ ପକ୍ଷରୁ ମିଳିଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଚନ୍ଦକା ଅଭୟାରଣ୍ୟର ବିଭିନ୍ନ ଜଳାଶୟରେ ଜଳ ଭର୍ତି ଥିବାରୁ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀ ଏଠାରେ ଡେରା ପକାଇଛନ୍ତି । ପୁରୀ କେନାଲ, ମୁଣ୍ତଳୀ ଆଦି ଅଞ୍ଚଳର ପକ୍ଷୀଙ୍କ ସଂଖ୍ୟା ଅଧିକ ରହିଛି । ସେହିସବୁ ଅଞ୍ଚଳରେ ଅଧିକ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।

http://www.orissapost.com

ସେମାନଙ୍କ ମଧ୍ୟରେ ନର୍ଦର୍ଣ୍ଣ ପିଣ୍ଟେଲ୍‌, ପଫ୍ଟେଡ୍ ଡକ୍, ରେଡ୍ କ୍ରିଷ୍ଟେଡ୍ ପୋକାର୍ଡ, ରିଭର୍ ଲାପିଂ, ଗ୍ରେ ହେଡ୍ଡ ଲାପିଂ, ବ୍ଲାକ୍ ବେଲିଡ୍ ଟର୍ଣ, ରିଭର ଟର୍ଣ, ବାର୍ ଟେଲ୍ଡ ଗୋଡିଟ୍, ଡାର୍ପର, ପେଲେ କାର୍ପଡ, ସାଇବେରିଆନ୍ କ୍ରେନ୍ ବାର୍ ହେଡ୍ଡ ଗୁଜ୍ ଭଳି ବିଦେଶୀ ପକ୍ଷୀଙ୍କୁ ଏଠାରେ ଚଳିତ ବର୍ଷ ଦେଖିବାକୁ ମିଳିଛି । ଏମାନଙ୍କ ସହ ବହୁ ପ୍ରକାର ହଂସ ହଂସରାଳି, ଫ୍ଲେମିଙ୍ଗୋ, ପେଲିକାନ୍ ଓ ଉତ୍ତର ଭାରତୀୟ ପକ୍ଷୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏଠାରେ ପକ୍ଷୀ ଗଣନା ପାଇଁ ମୋଟ୍ ୭୦ ଜଣ ନିୟୋଜିତ ଥିଲେ। ବନ ବିଭାଗର ୩୦ ଜଣ କର୍ମଚାରୀଙ୍କ ସହ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ, ଓୟୁଏଟି ପ୍ରାଣୀ ବିଭାଗର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସଂଗଠନ ଓ ପକ୍ଷୀ ବିଶାରଦମାନେ ଏହି ଗଣନାରେ ଯୋଗଦାନ ଦେଇଥିଲେ । ମୋଟ୍ ୧୧ଟି ଟିମ୍ ଗଠିତ ହୋଇଥିଲା ଓ ଟିମ୍‌ଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ୨୪ଟି ମୁଖ୍ୟ ସ୍ଥାନରେ ପକ୍ଷୀ ଗଣନା କରିଥିଲେ । ଚନ୍ଦକା ଡିଏଫ୍ଓ କେଦାର କୁମାର ସ୍ବାଇଁ ଓ ଏସିଏଫ୍ ଶରତ କୁମାର ବେହେରା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଗଣନା କାର୍ଯ୍ୟର ତଦାରଖ କରିଥିଲେ ।