ଉତ୍ତର ପଶ୍ଚିମ ଆଡକୁ ମୁହାଁଉଛି ମୌସୁମୀ ବାୟୁ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରାଘାତ ସହ ବର୍ଷା ସମ୍ଭାବନା ।

25

କନକ ବ୍ୟୁରୋ : ମୌସୁମୀ ବାୟୁ ବର୍ତମାନ ଦକ୍ଷିଣପୂର୍ବ ଦିଗରୁ ଉତ୍ତର ପଶ୍ଚିମ ଆଡକୁ ମୁହାଁଉଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ରାୟଗଡା, କଳାହାଣ୍ଡି, ଗଂଜାମ, ଖୋର୍ଦ୍ଧା ଓ ପୁରୀକୁ ସମ୍ପୁର୍ଣ୍ଣ ଭାବେ ଛୁଇଁବ । ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବାଲେଶ୍ୱର, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ବଜ୍ରାଘାତ ସହିତ ବର୍ଷା ହେବ ।

ମୌସୁମୀ ସହ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ଏବେ ବାଂଲାଦେଶ ମୁହାଁ ହୋଇଛି । ଏହାର ପ୍ରଭାବରେ ବାଲେଶ୍ୱର, ମୟୁରଭଞ୍ଜ, ନୂଆପଡା, କଳାହାଣ୍ଡି, ବଲାଙ୍ଗିରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୧୧ରୁ ୧୩ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ୧୫ ତାରିଖ ଯାଏଁ ପାଗ ମେଘୁଆ ରହିବ । ୧୮ ତାରିଖ ପରେ ବର୍ଷା ବଢିପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୋସୁମୀ ସକ୍ରିୟ ଥିବାକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଛି ।