ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ : ଅସ୍ତ୍ର ଛାଡି ସମାଜ ସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

33

କନକ ବ୍ୟୁରୋ : ମାଓ ଦମନର ସଫଳତା ପାଇଁ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଟୁଇଟ ଜରିଆରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥାବାର୍ତ୍ତା ନେଇ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାରେ ହିଂସାର ସ୍ଥାନ ନାହିଁ । ତେଣୁ ଅସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ ପୋଲିସ ଡିଜି । ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ସହ ସରକାରଙ୍କ ଥଇଥାନ ଯୋଜନାରେ ସାମିଲ ହେବା ପାଇଁ ଡିଜି ଆରପି ଶର୍ମା ଆହ୍ୱାନ ଦେଇଥିଲେ । ସେମାନେ ଦେଶ ଓ ରାଜ୍ୟର ବିକାଶରେ ମଧ୍ୟ ଭାଗିଦାର ହୋଇ ପାରିବେ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଆନ୍ଧ୍ର ଓ ଓଡିଶା ମିଳିତ ଭାବେ ନକ୍ସଲ ବିରୋଧୀ ଅଭିଯାନ କରିବେ ବୋଲି ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ଆଜି ଠାରୁ ବିଜେଡିର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି । ମହାନଦୀରେ ଓଡିଶାର ପ୍ରବେଶ ପଥ ଶୁଖାସୋଢାଠାରେ ଏକ ସମାବେଶ କରି ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ମହାନଦୀ ଓଡିଶାର ଜୀବନ ରେଖା । କେନ୍ଦ୍ର ଓ ଛତିଶଗଡ ସରକାରର ଆଭିମୁଖ୍ୟ ଓଡିଶା ବିରୋଧୀ । ବିଜେପି ନେତାଙ୍କ ଓଡିଶା ପ୍ରତି ଦରଦ ନାହିଁ । ଯଦି ଦରଦ ଥାଏ ଛତିଶଗଡର ନିର୍ମାଣ କାମକୁ ବିରୋଧ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମହାନଦୀ ଉପରେ ବ୍ୟାରେଜ ହେଲେ ବିସ୍ଥାପନ ହେବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।