ଶୁଖିଲା ମହାନଦୀ ପାଇଁ ଶୁଖାସୋଢାରୁ ବିଜେଡିର ମହାସଂଗ୍ରାମ ! ମୁଖ୍ୟମନ୍ତ୍ରୀ କହିଲେ, ଓଡିଶା ପାଇଁ ଦରଦ ଥିଲେ ଛିତିଶଗଡକୁ କାମ ବନ୍ଦ କରିବା ପାଇଁ କହୁ ବିଜେପି

34

କନକ ବ୍ୟୁରୋ : ମହାନଦୀ ପାଇଁ ମହାସଂଗ୍ରାମ । ବିଜେଡି ଆରମ୍ଭ କଲା ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଯାତ୍ରା । ମୁଖ୍ୟମନ୍ତ୍ରୀ କହିଛନ୍ତି ମହାନଦୀ ଆମର ମାଆ । ତେଣୁ ଏହାର ସୁରକ୍ଷା ପାଇଁ ଛତିଶଗଡ ଉପରମୁଣ୍ଡରେ ବନ୍ଧ ବାନ୍ଧିବା ବନ୍ଦ କରୁ । ଏପରିକି ଓଡିଶାବାସୀଙ୍କ ପ୍ରତି ଦରଦ ଥିଲେ କାମ ବନ୍ଦ କରିବାକୁ କୁହନ୍ତୁ ଓଡିଶା ବିଜେପି ନେତା । ମହାନଦୀର ଓଡିଶାରେ ପ୍ରବେଶ ପଥ ଝାରସୁଗୁଡାରୁ ଅଭିଯାନ ଆରମ୍ଭ କରି ଏପରି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖରାଦିନେ ଶୁଖିଲା ପଡିଥିବା ମହାନଦୀକୁ ନେଇ ଜନଆନ୍ଦୋଳନ ସୃଷ୍ଟି କରୁଛି ବିଜୁ ଜନତା ଦଳ । ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ମହାନଦୀ ସୁରକ୍ଷା ଯାତ୍ରାବେଳେ ବିଜେପି ସରକାରଙ୍କ ବୈମାତୃକ ମନୋଭାବକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି ।

mahanadi

ଓଡିଶାର ଜୀବନରେଖା ମହାନଦୀକୁ ମାଆ କହି, ଏହାର ସୁରକ୍ଷା ପାଇଁ ଲଢେଇକୁ ଜୋରଦାର କରିଛି ବିଜୁ ଜନତା ଦଳ । ଆଉ ମହାନଦୀର ଓଡିଶାରେ ପ୍ରବେଶ ପଥ ଝାରସୁଗୁଡା ଜିଲ୍ଲାର ଶୁଖାସୋଢାରୁ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ଅଭିଯାନକୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ ଲକ୍ଷ ଓଡିଶାବାସୀଙ୍କୁ ପ୍ରଭାବିତ କରୁଥିବା ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ନବୀନ ।

କେନ୍ଦ୍ରରେ ବିଜେପି ସରକାର ଓ ଛତିଶଗଡରେ ବିଜେପି ସରକାରଙ୍କ ମନୋବୃତ୍ତି ଓଡିଶା ବିରୋଧୀ । ଓଡିଶାର ବିଜେପି ନେତାମାନେ ଛତିଶଗଡର କାମକୁ ସମର୍ଥନ କରୁଛନ୍ତି । ଆଉ ଓଡିଶା ଆସି ଏଠାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯଦି ବିଜେପି ନେତାଙ୍କର ଓଡିଆଙ୍କ ପ୍ରତି, ଓଡିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ ସରକାରର କାମକୁ ବିରୋଧ କରନ୍ତୁ ।

ଉଭୟ ଛତିଶଗଡ ଓ କେନ୍ଦ୍ରରେ ଥିବା ବିଜେପି ସରକାର ଓଡିଶାର ସ୍ୱାର୍ଥ ପ୍ରତି ଆଖି ବୁଜିଦେଇଥିବା ଅଭିଯୋଗ କରି ଓଡିଶା ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡିର ସମସ୍ତ ଛାମୁଆ ନେତା ଝାରସୁଗୁଡା ଜିଲ୍ଲା ଶୁଖାସୋଢା ଓ ବରଗଡ ଜିଲ୍ଲା ଚିଖିଲିରୁ ମହାନଦୀ ସୁରକ୍ଷା ଯାତ୍ରାରେ ସାମିଲ ହୋଇ ଜନଆନ୍ଦୋଳନକୁ ତେଜିଆନ କରିଛନ୍ତି ।

ମହାନଦୀ ଅବବାହିକରେ ଥିବା ୧୫ଟି ଜିଲ୍ଲାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଯାତ୍ରା । ଝାରସୁଗୁଡା ଓ ବରଗଡରୁ ଜଗତସିଂହପୁର ଜିଲ୍ଲା ପାରାଦୀପ ଯାଏଁ ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ଖରାଦିନେ ଛତିଶଗଡ ପଟେ ମହାନଦୀରେ ପାଣି ଲହଡି ଭାଙ୍ଗୁଥିବାବେଳେ ଓଡିଶା ପଟରେ ଶୁଖିଲା ପଡିଛି । ଯାହାକୁ ନେଇ ଓଡିଶା ଗୋଟିଏ ପଟେ ନ୍ୟାୟିକ ଲଢେଇ ଜାରି ରଖିଥିବାବେଳେ ଅନ୍ୟପଟେ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ଅଂଟା ଭିଡିଛି ଶାସକ ବିଜେଡି ।