କେନ୍ଦ୍ର ସରକାରଙ୍କୁ ଡାକ୍ତର ଚିନ୍ତା ! ସୁରକ୍ଷା ପାଇଁ ଜାରି କଲେ ଆଡଭାଇଜରୀ । ମେଡିକାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

146

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ମାଡ ଘଟଣା ପରେ ଭାଙ୍ଗିଲା ସରକାରଙ୍କ ନିଦ । ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ ସେତେବେଳେ ଆନ୍ଦୋଳନ ତେଜିଥିଲା । ଆଉ ଆନ୍ଦୋଳନ ପରେ ଏବେ ଡାକ୍ତରଙ୍କ ସୁରକ୍ଷା କଥା ଚିନ୍ତା କରିଛନ୍ତି କେନ୍ଦ୍ର ସରକାର । ଆଉ ଏଥିପାଇଁ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ତେବେ ଆଜି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଏନେଇ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍୍ୟ ମନ୍ତ୍ରାଳୟ । କର୍ମକ୍ଷେତ୍ରରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଜାରି ହୋଇଥିବା ଏହି ଆଡଭାଇଜରୀରେ ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ହସ୍ପିଟାଲ ଗୁଡିକର ସୁରକ୍ଷା ଦାୟିତ୍ୱ ତାଲିମପ୍ରାପ୍ତ ଅଧିକାରୀଙ୍କୁ ଦେବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।

ମେଡିକାଲରେ ସିସିଟିଭି କ୍ୟାମେରା ଲଗାଇବା, ଆବଶ୍ୟକ ହେଲେ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ କ୍ୱିକ୍ ଆକ୍ସନ ଟିମ୍ ଗଠନ ହେବ । ଏହା ସହ ସୁରକ୍ଷା ବ୍ୟବସ୍ଥାର ମନିଟରିଂ ପାଇଁ ଉନ୍ନତ ଜ୍ଞାନକୌଶଳ ସଂପନ୍ନ କଂଟ୍ରୋଲ ରୁମ ଏବଂ ରୋଗୀଙ୍କ ସଂପର୍କୀୟଙ୍କ ବ୍ୟତିତ ମେଡିକାଲ ଭିତରେ ଅନ୍ୟ କାହାରି ପ୍ରବେଶ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ମଧ୍ୟ ରହିଛି । ଏଥିସହ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଦୁର୍ବ୍ୟବହାର କଲେ ଦୁର୍ବ୍ୟହାରକାରୀଙ୍କ ବିରୋଧରେ ସଂପୃକ୍ତ ଅନୁଷ୍ଠାନ ତରଫରୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଅଛି ।

ସେପଟେ ଚିକିତ୍ସା ଅବହେଳାର ତଦାରଖ କରିବା ପାଇଁ ନୋଡାଲ ଅଫିସର ନିଯୁକ୍ତି ପାଇଁ ନିର୍ଦ୍ଦେଶ ରହିଛି । ଖାଲିପଡିଥିବା ଡାକ୍ତର ଓ ଷ୍ଟାଫ ପଦବୀ ପୂରଣ କରିବାକୁ ଆଡଭାଇଜରୀରେ ଉଲ୍ଲେଖ ରହିଛି । ସେହିପରି ସହରାଂଚଳ ଅପେକ୍ଷା ଦୁର୍ଗମ ଅଂଚଳରେ କାମ କରୁଥିବା ଡାକ୍ତରଙ୍କୁ ଉନ୍ନତ ଭିତ୍ତିିଭୂମୀ ଓ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଯୋଗାଇ ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ତେବେ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ନୂଆ କିଛି ହୋଇନି । ପୂର୍ବରୁ ଆମ ସରକାର ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଆସୁଛନ୍ତି । ତେବେ ଗାଇଡଲାଇନରେ ଯଦି ଅଧିକ କିଛି ଥିବ ତାହାଲେ ଆମେ ନିଶ୍ଚୟ ପାଳିବୁ ବୋଲି ନବ କହିଛନ୍ତି ।