ରୋଟୋମାକ ପେନ ମାଲିକ ବିକ୍ରମ କୋଠାରୀଙ୍କ ବିରୋଧରେ ମାମଲା ରୁଜୁ ! କାନପୁର ବାସଭବନ ସମେତ ୩ଟି ସ୍ଥାନରେ ସିବିଆଇର ରେଡ

32

କନକ ବ୍ୟୁରୋ : ରୋଟୋମାକ୍ ପେନ୍ ମାଲିକ ବିକ୍ରମ କୋଠାରୀଙ୍କ ବିରୋଧରେ ମାମଲା ରୁଜୁ । ବ୍ୟାଙ୍କ ଋଣ ଠକେଇ ମାମଲାରେ କୋଠାରୀଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ । କୋଠାରୀଙ୍କ କାନପୁର ବାସଭବନ ସମେତ ୩ଟି ଠିକଣାରେ ଚଢାଉ କରିଛି ସିବିଆଇ ଟିମ୍ । ତାଙ୍କ ପରିବାର ସଦସ୍ୟଙ୍କ ମୋବାଇଲ ଫୋନ୍ ଜବତ କରାଯାଇଛି । ଘର ଭିତରୁ କାହାକୁ ବାହାରକୁ ଛଡାଯାଉନି କିମ୍ବା ବାହାରୁ କେହି ଭିତରକୁ ଆସିବାକୁ ଅନୁମତି ଦିଆଯାଉନି । କୋଠାରୀଙ୍କ ଘରୁ ବ୍ୟାଙ୍କ କାରବାର ସଂପର୍କିତ କାଗଜପତ୍ର, ପେନ୍ ଡ୍ରାଇଭ, ଲାପଟପ୍ ସହ ପରିବାର ସଦସ୍ୟଙ୍କ ପାସପୋର୍ଟ ମଧ୍ୟ ଜବତ କରାଯାଇଛି । ସେପଟେ ପ୍ରବର୍ତନ ନିର୍ଦ୍ଦେଶାଳୟ ମଧ୍ୟ ବିକ୍ରମ କୋଠାରୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ୭ଟି ବ୍ୟାଙ୍କରୁ ୩ ହଜାର ୬୯୫ କୋଟି ଟଙ୍କା ଋଣ ଆଣି ସୁଝି ନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ହୀରା ବ୍ୟବସାୟୀଙ୍କ ପରେ ପେନ୍ ବ୍ୟବସାୟୀ ମଧ୍ୟ ପଛରେ ନପଡ଼ି ଲୁଟିଛନ୍ତି ବ୍ୟାଙ୍କ । ଲୋକପ୍ରିୟ ପେନ ବ୍ରାଣ୍ଡ ରୋଟୋମାକ କମ୍ପାନିର ମାଲିକଙ୍କ ନାଁରେ ୩ହଜାର ୬ଶହ ୯୫ କୋଟିର ହରିଲୁଟ ଅଭିଯୋଗ । ପ୍ରାୟ ୭ଟି ଘରୋଇ ବ୍ୟାଙ୍କରୁ ଋଣ ନେଇ ଶୁଝି ନାହାନ୍ତି ବିକ୍ରମ କୋଠାରୀ । ଏହି ମାମଲାରେ ଗତକାଲି ତାଙ୍କ ସହ, ପତ୍ନୀ ଓ ପୁଅଙ୍କୁ ମଧ୍ୟ ପଚରା ଉଚରା କରିଥିଲା ସିବିଆଇ । ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ୮୦୦ କୋଟି ଟଙ୍କାର ଠକେଇ ନେଇ ମାମଲା ପରେ ସିବିଆଇ କାନପୁରରେ ଚଢଉ କରିଥିଲା । ଗତକାଲି ରୋଟୋମେକ ମାଲିକ ବିକ୍ରମ କୋଠାରୀଙ୍କ ନିଜ ଘର ‘ସନ୍ତୁଷ୍ଟି’, କାର୍ୟ୍ୟାଳୟ ସମେତ ୩ଟି ସ୍ଥାନରେ ଚଢଉ କରିଥିଲା ସିବିଆଇ ।

ଦେଶର ୫ଟି ବ୍ୟାଙ୍କରୁ ବିକ୍ରମ କୋଠାରୀ ପ୍ରାୟ ୩ ହଜାର କୋଟି ଟଙ୍କା ଋଣ ନେଇଛନ୍ତି । କିନ୍ତୁ ଏହାକୁ ଦୀର୍ଘ ଦିନ ଧର ସୁଝି ନଥିବା ବେଳେ ରବିବାର ତାଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ବିକ୍ରମ ୨୦୧୨ରେ ନିଜ କମ୍ପାନୀ ରୋଟୋମେକ ନାଁରେ ଆହ୍ଲାବାଦ ବ୍ୟାଙ୍କରୁ ୩୭୫ କୋଟି ଟଙ୍କାର ଋଣ ନେଇଥିଲେ । ପରେ ୟୁନିଅନ ବ୍ୟାଙ୍କରୁ ୪୩୨ କୋଟି , ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୪୦୦ କୋଟି, ବ୍ୟାଙ୍କ ଅଫ ଇଣ୍ଡିଆରୁ ୧୩୦୦ କୋଟି ଟଙ୍କାର ଋଣ ନେଇଥିଲେ ବିକ୍ରମ । ଏପରିକି ବ୍ୟାଙ୍କ ଅଫ ବରୋଦାରୁ ମଧ୍ୟ ସେ ୬୦୦ କୋଟି ଟଙ୍କା ନେଇଛନ୍ତି । କିନ୍ତୁ କୌଣସି ବ୍ୟାଙ୍କର ଋଣ ସେ ପରିଶୋଧ କରି ନାହାନ୍ତି । ତେବେ ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ବ୍ୟାଙ୍କ କର୍ମଚାରୀଙ୍କୁ ହାତକରି ନିଜ ସମ୍ପତିର ମୂଲ୍ୟକୁ ଅହେତୁକ ଭାବେ ଅଧିକ ଦେଖାଇଛନ୍ତି ଏବଂ କୋଟି କୋଟି ଟଙ୍କା ଋଣ ହାସଲ କରିଛନ୍ତି ।