ସିବିଆଇ ବନାମ ଓଡିଶା ପୁଲିସ ! ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି, ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି

34

କନକ ବ୍ୟୁରୋ : ବିଚାରପତିଙ୍କ ଘରେ ପଶିଥିବା ସିବିଆଇ ଅଧିକାରୀଙ୍କ ତାଲିକା ମାଗିଲା ପୋଲିସ । କାହା ନେତୃତ୍ୱରେ ଆସିଥିଲା ଟିମ୍? ଟିମରେ ଥିବା ଅଧିକାରୀ କେଉଁ ରାଙ୍କର? ଏବଂ ସମସ୍ତଙ୍କ ନାଁ ଓ ଫୋନ୍ ନମ୍ବର ଦେବାକୁ ସିବିଆଇକୁ ଚିଠି ଲେଖିଛି ଓଡିଶା ପୋଲିସ । ବିଚାରପତିଙ୍କ ବାସଭବନରେ ପଶିଥିବା ସିବିଆଇର ସମସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ବିଚାରପତି ସିଆର୍ ଦାଶଙ୍କ ବାସଭବନରେ ନିୟୋଜିତ ଦୁଇ ସୁରକ୍ଷାକର୍ମୀଙ୍କ ଧାରା ୧୬୧ରେ ବୟାନ ରେକର୍ଡ ହୋଇଛି । ଆଗକୁ ଧାରା ୧୬୪ରେ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି । ସେପଟେ ଘଟଣାକୁ ନେଇ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି ହାଇକୋର୍ଟ ବାର୍ ଆସୋସିଏସନ୍ । ଏହି ଘଟଣାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଦୁଇ ଦିନ ପର୍ବୂରୁ ଅବସରପ୍ରାପ୍ତ ବିଚାରପତିଙ୍କ ଘରକୁ ଯିବା ବଦଳରେ ବିଚାରପତିଙ୍କ ବାସଭବନକୁ ପଶିଯାଇଥିଲେ ସିବିଆଇ ଅଫିସର । କ୍ୟାଂଟମେଂଟ ରୋଡ଼ସ୍ଥିତ ହାଇକୋର୍ଟର ବିଚାରପତି ଚିତରଂଜନ ଦାଶଙ୍କ ଘରେ ସିବିଆଇ ଅଫିସର ପଶିଥିଲେ । ଅବସରପ୍ରାପ୍ତ ବିଚାରପତିଙ୍କୁ ଖୋଜୁଥିଲେ ସିବିଆଇ। ତେବେ ଭୁଲବଶତଃ ବିଚାରପତି ଚିତରଂଜନ ଦାସଙ୍କ ଘରେ ପଶିଯାଇଥିବା ଜାଣିବା ପରେ ସିବିଆଇ ଅଫିସର ବିଚାରପତିଙ୍କ ଘରୁ ଚାଲି ଆସିଥିଲେ । ତେବେ ଏହା ପ୍ରତିବାଦରେ ଓଡ଼ିଶା ହାଇକୋର୍ଟବାର ଆସୋସିଏସନ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।