ଚିଟଫଣ୍ଡ ପରେ ନାରଦ ଷ୍ଟିଂ ! ତୃଣମୂଳ କଂଗ୍ରେସର ପିଛା ଛାଡୁନି ବିବାଦ

52

କନକ ବ୍ୟୁରୋ : ନାରଦ ଷ୍ଟିଂ ଅପରେସନ ଘଟଣାରେ ସିବିଆଇ ପଶ୍ଚିମ ବଙ୍ଗରେ ଶାସକ ତୃଣମୂଳ କଂଗ୍ରେସର ୧୩ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏକ ଭିଡିଓରେ କିଛି ଟିଏମସି ନେତା ଟଙ୍କା ନେଉଥିବାର ଦୃଶ୍ୟ ଥିବାରୁ ତାହାକୁ ଆଧାର କରି ସେମାନଙ୍କ ବିରୋଧରେ ମାମଲା କରାଯାଇଥିବା ସିବିଆଇ କହିଛି ।

ଦଳର ସାଂସଦ, ମନ୍ତ୍ରୀମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ଏହା ତୃଣମୂଳ କଂଗ୍ରେସରେ ଝଡ ସୃଷ୍ଟି କରିଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ମୁଣ୍ଡବ୍ୟଥା ବଢାଇଛି । ଏହି ତାଲିକାରେ ଦଳର ୬ ଜଣ ସାଂସଦ, ୩ ଜଣ ମନ୍ତ୍ରୀ , ୨ ବିଧାୟକ ରହିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ୧୨୦-ବି ଓ ଦୁର୍ନୀତି ନିରୋଧ ଆଇନ୍ ଲାଗୁ କରାଯାଇଛି ।

୨୦୧୬ ପଶ୍ଚିମ ବଙ୍ଗ ବିଧାନସବା ନିର୍ବାଚନ ବେଳେ ନାରଦ ନ୍ୟୁଜ୍ ଡଟ୍ କମ୍ ପକ୍ଷରୁ ଟିଏମସି ଦଳର ମନ୍ତ୍ରୀ ଓ ସାଂସଦମାନେ ବିଭିନ୍ନ ଘଟଣାରେ ଲାଂଚ ନେଉଥିବା ଭିଡିଓ ପ୍ରକାଶିତ କରାଯାଇଥିଲା । ସେତବେଳେ ଏହା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଥିଲା । ଗତ ମାର୍ଚ ୧୮ ତାରିଖରେ କୋଲକାତା ହାଇକୋର୍ଟ ଏହି ମାମଲାକୁ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।