ଲୁଟେରାଙ୍କୁ ମାତ୍ ଦେଲେ ସାହସୀ ସତ୍ୟ ! ଦୁର୍ବୃତ୍ତଙ୍କ କଟୁରୀ ଛଡାଇ ଆଣି, କଲେ ପାଲଟା ଆକ୍ରମଣ ।

132

କନକ ବ୍ୟୁରୋ : ରାତି ଅଧରେ ରାଜଧାନୀ ରାଜରାସ୍ତାରେ ଲୁଟେରାଙ୍କ ସହ ଲଢେଇ । ସାହସ ଦେଖାଇଲେ ଔଷଧ ବ୍ୟବସାୟୀ । ଖଣ୍ଡଗିରି ଅଂଚଳରେ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ କରିଥିଲେ କିଛି ଲୁଟେରା । କଟୁରିରେ ଆକ୍ରମଣ ସାଙ୍ଗକୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ବ୍ୟବସାୟୀଙ୍କୁ । କିନ୍ତୁ ବ୍ୟବସାୟୀଙ୍କ ପାଲଟା ଆକ୍ରମଣରେ ଫେଲ ମାରିଥିଲା ଲୁଟ୍ ଉଦ୍ୟମ । ଜୀବନ ବିକଳରେ ଦୌଡି ପଳାଇଥିଲେ ଲୁଟେରା ।

ଦମ ଦେଖାଇଲେ ବ୍ୟବସାୟୀ । ଛତ୍ରଭଙ୍ଗ ଦେଲେ ଲୁଟେରା । ସିସିଟିଭିର ଦୃଶ୍ୟ ହିଁ ବୟାନ କରୁଛି କିପରି ଲୁଟେରାଙ୍କ ସହ ଲଢିଥିଲେ ବ୍ୟବସାୟୀ । ଶୁକ୍ରବାର ରାତିର ଘଟଣା । ସମୟ ପ୍ରାୟ ରାତି ସାଢେ ବାରଟା । ରାଜଧାନୀର ଖଣ୍ଡଗିରିବାରିରେ ଥିବା ଔଷଧ ଦୋକାନ ରାଧାକୃଷ୍ଣ ମେଡିସିନ ଷ୍ଟୋର ବନ୍ଦ କରି ଘରକୁ ବାହାରିଥିଲେ ବ୍ୟବସାୟୀ ସତ୍ୟରଂଜନ ଦାସ । ଗାଡି ଷ୍ଟାର୍ଟ କରୁଥିବା ସମୟରେ ଦୁଇଟି ବାଇକରେ ୫ଜଣ ଲୁଟେରା ପହଂଚିଥିଲେ ତାଙ୍କ ନିକଟରେ । ପାଖରେ କଣ ରଖିଛୁ ବୋଲି ପଚାରିଥିଲେ । ଆଉ ଗାଡି ଚାବି ଛଡାଇବା ସହ ଜଣେ ଲୁଟେରା କଟୁରୀ ଧରି ବ୍ୟବସାୟୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ ।

ସତ୍ୟରଂଜନ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ଇଏ ହେଉଛି ସେହି ସମୟର ଦୃଶ୍ୟ । ତାପରେ ଲୁଟେରା ଜଣଙ୍କ ତାଙ୍କ ଉପରକୁ କଟୁରୀ ଫୋପାଡି ଥିଲେ । ହେଲେ ବ୍ୟବସାୟୀଙ୍କ ଦେହରେ ବାଜିନଥିଲା କଟୁରୀ । ଆଉ ସେହି କଟୁରୀକୁ ଧରି ସତ୍ୟରଂଜନ ଲୁଟେରାମାନଙ୍କୁ ଗୋଡାଇଥିଲେ । ଏଥିରେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଇଥିଲେ ଲୁଟେରା । ଲୁଟେରାମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଡରିନଥିଲେ ସତ୍ୟରଂଜନ । ସତ୍ୟରଂଜନଙ୍କ ପାଲଟା ଆକ୍ରମଣରେ ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ ଲୁଟେରା । ସତ୍ୟଙ୍କ ଦମ ଆଗରେ ଲୁଟେରା ହାର ମାନିଥିଲେ । ଫେଲ ମାରିଲା ଲୁଟ ଉଦ୍ୟମ । ଏହି ଘଟଣାକୁ ନେଇ ସ୍ଥାନିୟ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।