ଆଜିଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ : ଫେବୃୟାରି ୧ରେ ଉପସ୍ଥାପିତ ହେବ ବଜେଟ

24

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ । ବଜେଟ ଅଧିବେଶନକୁ ସୁରୁଖୁରୁରେ ସଂଚାଳନ କରିବାପାଇଁ ଗତକାଲି ଅନୁଷ୍ଠିିତ ହୋଇଯାଇଥିଲା ସର୍ବଦଳୀୟ ବୈଠକ । ସଂସଦ ଅଧିବେଶନ ଏକ ମହାପଂଚାୟତ ତେଣୁ ମତଭେଦ ସତ୍ୱେ ସଂସଦ ଚାଲୁରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ବିମୁଦ୍ରାୟନକୁ ନେଇ ଶୀତ ଅଧିବେଶନ ଧୋଇଥିବାବେଳେ ଚଳିତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ମୋଦି ସମସ୍ତ ବିରୋଧୀ ଦଳଙ୍କୁ ଆହ୍ୱାନ କରିଛନ୍ତି । ତେବେ ବଜେଟ ଅଧିବେଶନର ପ୍ରଥମ ଦୁଇଟି କାର୍ଯ୍ୟଦିବସ ବର୍ଜନ କରିବ ତୃଣମୁଳ କଂଗ୍ରେସ । ବିମୁଦ୍ରାୟନ ପ୍ରତିବାଦରେ ଟିଏମସି ପ୍ରତିବାଦ କରିବ ବୋଲି କହିଛି ।

ଫେବ୍ରୁଆରୀ ୧ ରେ କେନ୍ଦ୍ର ସାଧାରଣ ବଜେଟ୍ । ଏହା ପୂର୍ବରୁ ବଜେଟକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଚର୍ଚ୍ଚା ହେଉଛି, ବଢିପାରେ ସେବାକର । ଜିଏସଟିର ଟିକସ ହାରକୁ ଆଖି ଆଗରେ ରଖି ଏଥର ବଜେଟରେ ସେବାକର ୧୫ ପ୍ରତିଶତରୁ ବଢି ୧୬ କିମ୍ବା ୧୮ ପ୍ରତିଶତରେ ପହଂଚିଯିବ ବୋଲି ଅନୁମାନ କରାଯାଉଛି । କାରଣ ଜୁଲାଇ ୧ରେ ସାରା ଦେଶରେ ମୁଖ୍ୟତଃ ୪ଟି ସ୍ଲାବରେ ସେବାକର ଆଦାୟ ହେବାକୁ ଥିବାରୁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଅଳ୍ପ କିଛି କିଛି ସେବାକର ବଢ଼ାଇ ଲୋକଙ୍କୁ ଏକାଥରେ ଟିକସ ବଢ଼ାଇବାର ଝଟକାରୁ ରକ୍ଷା କରିବାକୁ ଚାହିଁବେ ବୋଲି ସ୍ପଷ୍ଟ ହୋଇଛି ।

ଜୁଲାଇ ୧ରୁ ଜିଏସଟି ଲାଗୁ ହେବା ପରେ ୫, ୧୨, ୧୮ ଓ ୨୮ ପ୍ରତିଶତ ହାରରେ ସେବାକର ଆଦାୟ ହେବ ବୋଲି ସ୍ଥିର କରାଯାଇଛି । ବିମୁଦ୍ରାକରଣରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସରକାର କିଛି ଯୋଜନା ଘୋଷଣା କରିପାରନ୍ତି । ଗରିବ ଓ ନିମ୍ନମଧ୍ୟବିତଙ୍କ ପାଇଁ ସର୍ବନିମ୍ନ ଆୟ ଯୋଜନା ବା ଜିଏସଟିର ଘୋଷଣା କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।