ଭାଗଚାଷୀ ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ବର୍ଷେ : ପ୍ରତିଶ୍ରୁତି ମୁତାବକ ଏଯାଏଁ ପରିବାରକୁ ମିଳିନି ଘର ଖଣ୍ଡେ

85

କନକ ବ୍ୟୁରୋ : ବରଗଡ଼ ଜିଲ୍ଲା କଳାପାଣି ଗାଁର ଭାଗଚାଷୀ ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ଠିକ୍ ବର୍ଷେ ପୂରିଛି । ମାତ୍ର, ପ୍ରତିଶ୍ରୁତି ମୁତାବକ ତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ଘର ଖଣ୍ଡେ ମିଳିନାହିଁ । ଗତବର୍ଷ ନଭେମ୍ବର ୧ ତାରିଖ ବୃନ୍ଦା ନିଜ ଉଜୁଡ଼ା ଜମି ଭିତରେ କୀଟନାଶକ ପିଇ ଦେଇଥିଲେ । ଏହାପରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହାର ଦିନକ ପୂର୍ବରୁ ବୃନ୍ଦା ଚକଡ଼ା ସାଲୁବାଲୁ ତାଙ୍କ ଫଳନ୍ତି ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲେ । ବୃନ୍ଦାଙ୍କ ମୃତ୍ୟୁ ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା । ଚାଷୀ ଆନ୍ଦୋଳନ, ରାଜପଥ ଅବରୋଧ ହୋଇଥିଲା । ସବୁ ଦଳର ତୁଙ୍ଗ ନେତା ବୃନ୍ଦାଙ୍କ ଘରେ ପହଂଚି ସମବେଦନା ଜଣାଇଥିଲେ । ନାନାଦି ପ୍ରତିଶ୍ରୁତି ଦେଇ ଫେରି ଯାଇଥିଲେ । ବର୍ଷଟିଏ ବିତି ଯାଇଛି, କିନ୍ତୁ ବୃନ୍ଦାଙ୍କ ପରିବାରର ଲୁହ ଶୁଖିନି ।

ପେଟପାଟଣା ପାଇଁ ଆଜିବି ସଂଘର୍ଷ କରୁଛନ୍ତି ବିଧବା ପତ୍ନୀ ସୁବାଷିନୀ, ଦୁଇ ଝିଅ ପୁଷ୍ପାଞ୍ଜଳି ଓ ପ୍ରୀତି, ଏକମାତ୍ର ପୁଅ ରାକେଶ । ଜାତୀୟ ରାଜପଥ କଡ଼ରେ ହିଁ ଏମାନଙ୍କ ଘର । ସଂପ୍ରସାରଣ କାମ ଚାଲୁଥିବାରୁ କୌଣସି ମୁହୂର୍ତ୍ତରେ ଘରଭଂଗା ଯିବ । ଏଭଳି ସ୍ଥିତିରେ ସେମାନେ କେଉଁଠି ମୁଣ୍ଡ ଗୁଂଜିବେ, ସେନେଇ ଦିନରାତି ଚିନ୍ତା ଘାରିଛି ।

ବୃନ୍ଦାଙ୍କ ମୃତ୍ୟୁ ପରେ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସରେ ଘର ଯୋଗାଇ ଦିଆଯିବ ବୋଲି ନେତାମାନେ କହିଥିଲେ । ସପ୍ତାହେ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶ ଫାଇଲ ଭିତରେ ହଜି ଯାଇଛି । ‘ରାଜନୀତି ଭିତରେ ଆମର ଦାବି ହଜି ଯାଇଛି’ ବୋଲି ବୃନ୍ଦାଙ୍କ ପରିବାର ଅଭିଯୋଗ କରୁଛନ୍ତି । ଏକମାତ୍ର ପୁଅ ରାକେଶ ଏବେ କଳାପାଣି ମାର୍କେଟ ୟାର୍ଡରେ ଚାକିରି ପାଇଛନ୍ତି । କିନ୍ତୁ ଦିନ ମଜୁରୀ ହିସାବରେ ତାଙ୍କୁ ଦରମା ମିଳେ । ଦରମା ମିଳିବାକୁ ୩/୪ ମାସ ଲାଗି ଯାଏ । ପ୍ରୀତିକୁ ଛାତ୍ରବୃତ୍ତି ଦିଆଯିବ ବୋଲି ସେତେବେଳେ ଘୋଷଣା ‌େହାଇଥିଲା । କିନ୍ତୁ କିଛି ନମିଳିବାରୁ ସେ ପାଠପଢ଼ା (ଯୁକ୍ତ ୩ ଦ୍ବିତୀୟ ବର୍ଷ) ଛାଡ଼ି ସାରିଲେଣି ।
ପରିବାରର ଭୋକ ମେଣ୍ଟାଇବା ପାଇଁ ରାକେଶ ପୁଣି ୫ଏକର ଜମିରେ ଭାଗ ଚାଷ କରିଛି । କିନ୍ତୁ ସେଥିରେ ବି ଚକଡ଼ା ମାଡ଼ି ଯାଇଛି । ତେଣୁ ଗୁଜୁରାଣ କିଭଳି ମେଣ୍ଟିବ, ସେହି ଚିନ୍ତାରେ କାହରିକୁ ନିଦ ନାହିଁ । ଅନ୍ୟପକ୍ଷରେ ବୃନ୍ଦା ଭୂମିହୀନ ଥିଲେ କି ନାହିଁ, ତାହାର ତର୍ଜମା ଚାଲିଛି । ଭୂମିହୀନ ଥିଲେ ତାଙ୍କୁ ସରକାରୀ ଯୋଜନାରେ ବାସଗୃହ ମିଳିବ ବୋଲି ତହସିଲଦାର କହିଛନ୍ତି । ତେବେ ବର୍ଷ ତମାମ ପ୍ରଶାସନ ବୃନ୍ଦା ଭୂମିହୀନ ଥିଲେ କି ନାହିଁ, ତାହା ଚିହ୍ନଟ ନହେବା ଆଶ୍ଚର୍ଯ୍ୟର କଥା ।