ଠିକା ସଂସ୍ଥାର ନିମ୍ନମାନର କାମ ଯୋଗୁଁ ପୋଲ ଭାଙ୍ଗିପଡିଥିବା ଅଭିଯୋଗ! ପ୍ରଶ୍ନ, ଦୁର୍ଘଟଣା ପାଇଁ ଦାୟୀ କିଏ?

40

କନକ ବ୍ୟୁରୋ : ନିମ୍ନମାନର ଥିଲା କି ଫ୍ଲାଏ ଓଭରର ନିର୍ମାଣକାର୍ଯ୍ୟ ? କେଉଁ ସଂସ୍ଥା କରୁଥିଲା ନିର୍ମାଣ କାମ ? ଠିକାଦାର ସଂସ୍ଥାକୁ ସୁରକ୍ଷା ଦେଉଛି କିଏ ? ଏମିତି ଅନେକ ପ୍ରଶ୍ନ ଏବେ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି । ଏତେ ବଡ ଅଗଟଣା ପାଇଁ କାହାକୁ ଦାୟୀ କରାଯିବ ? ଯେଉଁ ଲୋକର ମୃତ୍ୟୁ ହେଲା ସେଥିପାଇଁ କିଏ ଦାୟୀ ରହିବ । ଏସବୁ ଭିତରେ ପ୍ରଶ୍ନ ଆସୁଛି ଠିକାଦାରି ସଂସ୍ଥା ଉପରେ , ଯିଏ ଏହି ନିର୍ମାଣ କାମ କରୁଥିଲା ।

ପଣ୍ଡା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ଅତି ଖାମଖିଆଲି ଢଙ୍ଗରେ କରୁଥିଲା ରାଜଧାନୀର ଏହି ଫ୍ଲାଏଓଭର କାମ । ସନ୍ଦେହ ହେଉଛି ଯଦି ପୋଲ ଏବେ ଭୁଶୁଡି ନଥା’ନ୍ତା , ବୋଧହୁଏ ପରେ ମଧ୍ୟ ଏହି ଘଟଣ। ଘଟିଥା’ନ୍ତା ।

କୁହାଯାଉଛି ଏହି ଠିକା ସଂସ୍ଥା ଏକ ପ୍ରଭାବଶାଳୀ ସଂସ୍ଥା । ଯାହା ପଛରେ ଜଣେ ପୂର୍ବତନ ମନ୍ତ୍ରୀ ଓ ଜଣେ ବର୍ତ୍ତମାନର ମନ୍ତ୍ରୀଙ୍କ ପରୋକ୍ଷ ସଂପର୍କ ରହିଛି । ଏପରିକି ପ୍ରମୂଖ ଦାୟିତ୍ୱରେ ଥିବା କିଛି ସରକାରୀ ଅଧିକାରୀ ମଧ୍ୟ ଏହି ଠିକା ସଂସ୍ଥାରେ ଟଙ୍କା ଲଗାଇଥିବା ଖବର ମିଳୁଛି । ପ୍ରଶ୍ନ ଉଠୁଛି ଏହି ଠିକା ସଂସ୍ଥାକୁ କାମ ମିଳିବା ପଛରେ ନେତା,ମନ୍ତ୍ରୀ ଓ ଅଧିକାରୀଙ୍କ ହାତ ରହିଛି କି ?

ବ୍ରିଜ୍ ଭୁଶୁଡିବା ଘଟଣାକୁ ନେଇ ରାଜନୀତି ସରଗରମ । ନିମ୍ନମାନର କାମ ସହ ପିସି କାରବାର ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ବିଜେପି ଅଭିଯୋଗ କରିଛି । ସେପଟେ ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିଛି କଂଗ୍ରେସ ।