ସାମ୍ବାଦିକଙ୍କୁ ଲାଂଚ ! ଗଡକରୀଙ୍କ କାର୍ଯ୍ୟକ୍ରମରେ ଦିଆଗଲା ୫୦୦ ଟଙ୍କା

31

କନକ ବ୍ୟୁରୋ : ଅନୁଗୁଳରୁ ଆସିଛି ସାଂଘାତିକ ଅଭିଯୋଗ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଲାଂଚ ଦିଆଯାଇଥିବା ଅଭିଯୋଗ ହୋଇଛି । ଅନୁଗୁଳରେ ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ରାସ୍ତା କାମ ପାଇଁ ଶୁଭ ଦେବାକୁ ନୀତିନ ଗଡକରୀ ଆସିଥିଲେ । ଆଉ ଏହି କାର୍ଯ୍ୟକ୍ରମ କଭର୍ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦିଆଯାଇଥିବା ଫୋଲଡରରୁ ବାହାରିଥିଲା ୫୦୦ ଟଙ୍କିଆ ନୋଟ୍ । ଯାହାକୁ ନେଇ ତୁରନ୍ତ ସେଠି ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଉପସ୍ଥିତ ସାମ୍ବାଦିକ ଏହାର ପ୍ରତିବାଦ କରିଥିଲେ ଆଉ ତୁରନ୍ତ ସେଠାରୁ ମନ୍ତ୍ରୀ ପଳାଇ ଯାଇଥିଲେ । ଏହା ପୂର୍ବରୁ ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ଶୁଭ ଦେବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ନୀତିନ ଗଡକରୀ ।

ତେବେ ଏନେଇ ଏନଏଚଏଆଇ କର୍ତ୍ତୃପକ୍ଷ ମୁହଁ ଖୋଲିନାହାନ୍ତି । ବିଜେପି ନେତାଙ୍କ ପ୍ରତିକ୍ରିୟା ଆମେ ନେବାକୁ ଚେଷ୍ଟା କରିଥିଲୁ । ସ୍ଥାନୀୟ ନେତା କାଳିନ୍ଦୀ ସାମଲ କହିଛନ୍ତି, କିଏ ଟଙ୍କା ଦେଇଛି ଆମେ ଜାଣିନାହୁଁ । ଫୋଲଡରରେ ଟଙ୍କା କୁଆଡୁ ଆସିଲା ତାର ଅନୁଧ୍ୟାନ କରାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ସରକାରୀ କାର୍ଯ୍ୟକ୍ରମରେ ଏଭଳି ଆଚରଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହିଁକି ଟଙ୍କା ରଖିବାକୁ ସାହାସ କଲେ ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ଏନେଇ ଏନଏଚଏଆଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ଦରକାର ।

ଏଭଳି ଏକ ଘଟଣା ପୂର୍ବରୁ ମଧ୍ୟ ଘଟିଥିଲା, ଯେତେବେଳେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କର ଏକ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଲାଂଚ ଦିଆଯାଇଥିବାର ଅଭିଯୋଗ ହୋଇଥିଲା । ସେତେବେଳେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ମଧ୍ୟ ବିବାଦ ଆଗକୁ ବଢିଥିଲା । ତେବେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏଭଳି ଆଚରଣ ଓ ସାମ୍ବାଦିକଙ୍କୁ ଟଙ୍କା ଦିଆଯିବାକୁ ଉଦ୍ୟମ କରିବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଇଛି ।