ଦାରିଦ୍ର୍ୟତା କାରଣରୁ ଏଠି ବିବାହ ପାଇଁ ବିକ୍ରୀ ହେବାକୁ ବାଧ୍ୟ ହୁଅନ୍ତି ଝିଅ

31

‘ବିବାହ ତ ମୋର ଜଣେ ଯୁବକଙ୍କ ସହ ହୋଇଥିଲା କିନ୍ତୁ ସେଠାକୁ ଯିବା ପରେ ତାଙ୍କ ପରିବାର ବାକି ସଦସ୍ୟମାନେ ମୋ ସହିତ ଖରାପ କାମ କରୁଥିଲେ । କୌଣସି ଉପାୟରେ ମୁଁ ସେଠାରୁ ଲୁଚି ପଳାଇ ଆସିଲି ଆଉ ଏବେ ମୁଁ ସେଠାକୁ ଯିବାକୁ ଚାହୁଁନି’ । କୋହଭରା କଣ୍ଠରେ ଏଭଳି କିଛି କଥା କୁହନ୍ତି ହରିୟାଣାରେ ବିବାହ ପରେ ନିଜ ଗାଁ ଛିପିଆକୁ ଲୁଚି ଚାଲିଆସିଥିବା ‘ନିଶା’ ।

ଏହି କାହାଣୀଟି କେବଳ ନିଶାଙ୍କର ନୁହେଁ, ବରଂ ନିଶାଙ୍କ ଭଳି ଏପରି ଅନେକ ଝିଅ ରହିଛନ୍ତି ଯିଏ କି ନିଜର ଗରିବୀ ଓ ଅଜ୍ଞାନତା କାରଣରୁ ଅନ୍ଧାରରେ ବଂଚିବାକୁ ବାଧ୍ୟ ହେଉଛନ୍ତି । ଆହ୍ଲାବାଦ ଜନପଦଠାରୁ ପାଖାପାଖି ୪୫ କିଲୋମିଟର ଦୂରରେ ଅବସ୍ଥିତ ଶଙ୍କରଗଡର ଛିପିଆ, ରମନା, ବୁଦ୍ଧନଗର, ବଦାମା ଗାଁ, ହଡହି, ଜନୱା ଏବଂ ସିଦ୍ଧପୁର ଭଳି ପାହାଡିଆ ଅଂଚଳର ଲୋକମାନଙ୍କ ଜୀବନ ଖନନ କାରବାରଦ୍ୱାରା ଚାଲିଥାଏ । କାମ କଲେ ସେମାନଙ୍କ ଘରେ ଚୁଲି ଜଳିଥାଏ ନହେଲେ ନାହିଁ ।

ସରକାର ଅଧିକାଂଶ ସଂଖ୍ୟାରେ ଅବୈଧ ଖନନ ହେଉଥିବା କାରଣରୁ ଖନନ ଉପରେ ରୋକ ଲଗାଇଦେଇଥିଲେ । ଯାହାଦ୍ୱାରା କି ଏଠିକାର ଲୋକମାନଙ୍କର ଜୀବନ ରାଜରାସ୍ତାକୁ ଚାଲି ଆସିଛି । କାରଣ ଭଲରେ ଦୁଇ ଓଳି ଖାଇବାକୁ ଏମାନଙ୍କ ନିକଟରେ ସାମର୍ଥ ନାହିଁ ଆଉ ତା ଉପରେ ପୁଣି ଝିଅର ବିବାହକୁ ଏମାନଙ୍କ ପାଇଁ କୌଣସି ବୋଝରୁ କମ୍ ନୁହେଁ ।

ତେଣୁ ଦାରିଦ୍ର୍ୟତା କାରଣରୁ ଏମାନେ ଝିଅମାନଙ୍କର ବିବାହ ହରିୟାଣା ଏବଂ ବିହାର ଭଳି ରାଜ୍ୟରେ କରିଦେଇଥାନ୍ତି । ଯେଉଁଥି ପାଇଁ ଏହି ଅଂଚଳମାନଙ୍କରେ ଦଲାଲମାନେ ବହୁତ ସକ୍ରିୟ ଅଟନ୍ତି । ଖାଲି ସେତିକି ନୁହେଁ ଲୋକେ ଏଠାରେ ଗରିବ ହୋଇଥାନ୍ତି ସତ କିନ୍ତୁ ଯଉତୂକ ମାଗିବାରେ ଟିକେ ହେଲେବି ହେଳା କରିନଥାନ୍ତି । ଯଉତୂକ ଦେବାରେ ଅସମର୍ଥ ଯୋଗୁଁ ଲୋକେ ଝିଅର ବିବାହ ବାହାରେ କରିବାକୁ ବାଧ୍ୟ ହୋଇଥାନ୍ତି । କାରଣ ବାହାରେ ବିବାହ କରିବାଦ୍ୱାରା ବିବାହ ସମୟରେ ଯେଉଁ ଖର୍ଚ୍ଚ ହୋଇଥାଏ ତାହା ବର ପକ୍ଷ ବହନ କରିବା ସହିତ ଅଲଗା ୨୫ ହଜାର ଟଙ୍କା ଝିଅଘର ଲୋକଙ୍କୁ ମିଳିଥାଏ ।

ସ୍ଥାନୀୟ ଲୋକଙ୍କର କହିବା କଥା ହେଲା, ଏଠିକାର ଲୋକମାନଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ଦାରିଦ୍ର୍ୟତା । ଝିଅ ବିବାହର ଖର୍ଚ୍ଚ ଉଠାଇବାରେ ଅସମର୍ଥ କାରଣରୁ ହରିୟାଣାରେ ସେମାନଙ୍କର ବିବାହ କରିଦେଇଥାନ୍ତି । ଏଥିରେ ଝିଅଘର ବାଲା ପୁଅଘର ଲୋକମାନଙ୍କ ବିଷୟରେ କିଛି ବି ଜାଣିନଥାନ୍ତି । ଝିଅ ସେଠାରେ ଯାଇଥାଏ ତ କିନ୍ତୁ ତାକୁ ସାମ୍ନା କରିବାକୁ ପଡିଥାଏ ଅନେକ ସମସ୍ୟା । କିଛି ଝିଅ ତ ସେଠାରେ ନିଜକୁ ଚଳାଇ ନେଇଥାନ୍ତି ମାତ୍ର କିଛି ସେଠାରୁ ଲୁଚି ପଳାଇ ଆସିଥାନ୍ତି ଏବଂ ଆଉ କିଛି ଝିଅ ଲୋକଲଜ୍ଜାକୁ ଡରି ଆତ୍ମହତ୍ୟା ଭଳି ରାସ୍ତାକୁ ଚୟନ କରିଦିଅନ୍ତି ।

ଏସଂପର୍କରେ ଶଙ୍କରଗଡ ଥାନାର ଏସଏଚଓ ଅମିତ ମିଶ୍ରଙ୍କ କହିବା କଥା ହେଲା, ଏସମ୍ବନ୍ଧରେ ସେମାନଙ୍କ ନିକଟକୁ କୌଣସି ବି ଅଭିଯୋଗ ଆସିନାହିଁ । ଯଦି କେହି ମହିଳା ସେମାନଙ୍କ ପାଖାରେ ଅଭିଯୋଗ କରନ୍ତି କି ତାଙ୍କର ବିବାହ ଜବରଦସ୍ତ କରି ଦିଆଯାଉଛି ତେବେ ସେମାନେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସୌଜନ୍ୟ: ଗାଁକନେକସନ୍