ବିଶ୍ୱ କରୁଛି କରୋନା ମୁକାବିଲା: ହାଇଡ୍ରୋକ୍ସି କ୍ଲୋରକୁଇନକୁ କରୋନାର ସଞ୍ଜିବନୀ କହିଲେ, ମହାମାରୀ ମୁକାବିଲା ପାଇଁ ସହଯୋଗ କରିବାକୁ ମୋଦିଙ୍କୁ ଅନୁରୋଧ କଲେ ବ୍ରାଜିଲ୍ ରାଷ୍ଟ୍ରପତି ।

923

କନକ ବ୍ୟୁରୋ: ତ୍ରେତୟା ଯୁଗରେ ଲଷ୍ମଣଙ୍କ ଜୀବନ ବଂଚାଇବା ପାଇଁ ହିମାଳୟରୁ ସଞ୍ଜୀବନି ବୁଟି ଆଣିଥିଲେ ହନୁମାନ । ଏହାପରେ ସୁସ୍ଥ ହୋଇଯାଇଥିଲେ ଲଷ୍ମଣ । ଏବେ ସାରା ବିଶ୍ୱକୁ ଘାରିଛି ମହାମାରୀ କରୋନା ଭୟ । ଆଉ ଏଭଳି ସଙ୍କଟଜନକ ସ୍ଥିତିରେ କରୋନାର ଗେମଚେଂଜର କୁହାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍କୁ ପୁରାଣର ସଂଜୀବନି ସହ ତୁଳନା କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ।

ମହାମାରୀ କରୋନା କବଳରେ ପଡିଥିବା ବ୍ରାଜିଲ, ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭାରତକୁ ମାଲେରିଆର ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦେବାକୁ ଅନୁରୋଧ କରିଥିଲେ । ଭାରତ ପକ୍ଷରୁ ଏହି ଔଷଧ ଯେଗାଇଦିଆଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ବୋଲସୋନାରୋ ।

ମୋଦିଙ୍କୁ ବ୍ରାଜିଲ ରାଷ୍ଟ୍ରପତି କହିଛନ୍ତି, ସଞ୍ଜୀବନି ଭଳି ଏହି ଔଷଧ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯିବ ଏବଂ ସେ ଆଶା କରୁଛନ୍ତି ଯେ, ଆକ୍ରାନ୍ତମାନେ ଶୀଘ୍ର ସୁସ୍ଥ ହୋଇଯିବେ । ଭାରତ ଏବଂ ବ୍ରାଜିଲ ମିଳିିତ ଭାବେ ଏହି ସଙ୍କଟର ସାମ୍ନା କରିବେ ବୋଲି କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ।

କରୋନାର ଚିକିତ୍ସା କ୍ଷେତ୍ରରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବିଶ୍ୱର ଅନେକ ଦେଶ ଔଷଧ ଭାବେ ବ୍ୟବହାର କରୁଛନ୍ତି । ଭାରତର ୯ଟି ସ୍ଥାନରେ ଏହି ଔଷଧ ତିଆରି ହେଉଛି । ତେଣୁ ଏହି ଔଷଧର ରପ୍ତାନୀ ପାଇଁ ବିଶ୍ୱର ୩୦ରୁ ଅଧିକ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ଆମେରିକାର ଅନୁରୋଧରେ ଭାରତ, ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ପଠାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମହାନ ନେତା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।