ଫିଟୁଛି ବମିଖାଲର ଖଳନାୟକ ପ୍ରତାପ ପଣ୍ଡାଙ୍କ କଳା କେଳେଙ୍କାରୀ !

22

bridgeକନକ ବ୍ୟୁରୋ : ଫିଟୁଛି ବମିଖାଲର ଖଳନାୟକ ପ୍ରତାପ ପଣ୍ଡାଙ୍କ କଳା କେଳେଙ୍କାରୀ । ନେତା ମନ୍ତ୍ରୀଙ୍କୁ ହାତବାରିସୀ କରି ଗୋଟିଏ ପରେ ଗୋଟିଏ ବଡ଼ ଠିକା ହାତେଇଛନ୍ତି ଏହି କରିତକର୍ମା ଠିକାଦାର । ପ୍ରଥମେ ଲୋ’ କଷ୍ଟ୍ ରେ ଏଷ୍ଟିମେଟ କରି ଠିକା ପାଇବା ପରେ ବଢିଯାଏ ପ୍ରକଳ୍ପ ମୂଲ୍ୟ । ରୋଡ୍ସ ଆଣ୍ଡ ବିଲଡିଂର ଏହି ପ୍ରକଳ୍ପର ମୂଲ ଥିଲା ୭୦ କୋଟି ୨ ଲକ୍ଷ ଟଙ୍କା । ହେଲେ ପ୍ରତାପ ପଣ୍ଡାଙ୍କ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ୬୩ କୋଟି ୮୭ ଲକ୍ଷ ଟଙ୍କାରେ ଟେଣ୍ଡର ପକାଇ କାମ ହାସଲ କରିଥିଲା । ମାତ୍ର କାମ ସରିଲା ବେଳକୁ ବଢିଯାଇଥିଲା ପ୍ରୋଜେକ୍ଟ କଷ୍ଟ୍ । ୬୩ କୋଟି ୮୭ ଲକ୍ଷରୁ ସିଧା ପହଁଚି ଯାଇଥିଲା ୯୨ କୋଟି ୨୮ ଲକ୍ଷ ଟଙ୍କାରେ ।

ମୂଳ ପ୍ରକଳ୍ପ ମୂଲ୍ୟ ଥିଲା ୫୩ କୋଟି ୬୪ ଲକ୍ଷ ଟଙ୍କା । ତେବେ ୬୨ କୋଟି ୩୮ ଲକ୍ଷ ଟଙ୍କାରେ ଟେଣ୍ଡର ପାଇଲା ପଣ୍ଡା ଇନଫ୍ରା । ଅଧିକ ଟଙ୍କାର ଟେଣ୍ଡର ନେଇଥିଲେ ବି ସେତିକିରେ ସନ୍ତୁଷ୍ଟ ହୋଇନଥିଲେ ଠିକାଦାର । ପ୍ରକଳ୍ପ ଚାଲିଥିବା ବେଳେ ତାହା ବି ଆହୁରି ବଢିଯାଇଥିଲା । ଏହି ପ୍ରକଳ୍ପ ୭୨ କୋଟି ୭୮ ଲକ୍ଷକୁ ବୃଦ୍ଧି ପାଇଥିଲା ।

ଏ ହେଉଛି ଦୁଇ ଦିନ ତଳେ ଭୁଶୁଡି ପଡିଥିବା ସେହି ଚର୍ଚ୍ଚିତ ପ୍ରୋଜେକ୍ଟ । ଏହାର ମୂଳ ମୂଲ୍ୟ ଥିଲା ମାତ୍ର ୨୯ କୋଟି ୯୭ ଲକ୍ଷ ଟଙ୍କା । ୨୧ କୋଟି ୪୬ ଲକ୍ଷ ଟଙ୍କାରେ ଟେଣ୍ଡର ହାତେଇଥିଲେ ପ୍ରତାପ ପଣ୍ଡା । ୨୦୧୨ ମାର୍ଚ୍ଚରେ କାମ ଆରମ୍ଭ କରି ୨୦୧୪ ମାର୍ଚ୍ଚ ସୁଦ୍ଧା କାମ ଶେଷ କରିବାର ପ୍ରତିଶ୍ରୁତି ଦେଇଥିଲା ପଣ୍ଡା ଇନ୍ଫ୍ରା । ମାତ୍ର କାମ ସରିଲାନାହିଁ ହେଲେ ବଢିଚାଲିଲା ପ୍ରକଳ୍ପ ମୂଲ୍ୟ । ଏବେ ତାହା ପହଁଚି ଯାଇଛି ୪୪ କୋଟି ୧୦ ଲକ୍ଷ ଟଙ୍କାରେ । କେବଳ ଯେ ପ୍ରକଳ୍ପ କଷ୍ଟ୍ ବଢିଯାଇଛି ତାହା ନୁହେଁ, କାମ ସାରିବାକୁ ଦୁଇ ବର୍ଷ ଅଧିକ ସମୟ ମଧ୍ୟ ଦିଆଯାଇଛି ପଣ୍ଡା ଇନଫ୍ରାକୁ ।

ପଣ୍ଡା ଇନଫ୍ରାର ପ୍ରତ୍ୟେକ ପ୍ରକଳ୍ପରେ ଜଳ ଜଳ ହୋଇ ଦିଶୁଛି ଏପରି ଚଂଚକତା । ଏଠି ପ୍ରଶ୍ନ ଉଠୁଛି, ଏହି ଠିକାଦରୀ ସଂସ୍ଥାକୁ କିପରି ମିଳୁଥିଲା ଏଭଳି ଅନୁକମ୍ପା? କେଉଁ ନେତା, କେଉଁ ମନ୍ତ୍ରୀ ଓ ଯନ୍ତ୍ରୀଙ୍କ ସହାୟତାରେ ଚାଲିଥିଲା ଏହି ଠିକାଦାରୀ ସଂସ୍ଥାର କେଳେଙ୍କାରୀ?