ରାଜଧାନୀ ଉପକଣ୍ଠରେ ଗୋଷ୍ଠୀ ସଂଘର୍ଷ, ବୋମା ମାଡ ! ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ, ଆଇଆଇସିଙ୍କ ମୁହଁ ଫାଟିଲା, ୩ ପୋଲିସ କର୍ମଚାରୀ ଆହତ ।

31

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ବୋମା ମାଡ଼, ଏହା ପରେ ଗୋଷ୍ଠୀ ସଂଘର୍ଷ । ଆଉ ଏହା ପରେ ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ଆଜି ସଂଧ୍ୟାରେ ରଘୁନାଥ ନଗର ଅଂଚଳରେ ପାଖାପାଖି ୪ଟି ବୋମା ମାଡ଼ ହୋଇଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ସରକନ୍ତରା ଓ ରଘୁନାଥ ନଗର ବାସିନ୍ଦା । ଧୀରେ ଧୀରେ ଏହା ତୀବ୍ର ରୂପ ନେଇଥିଲା । ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।

ଘଟଣାସ୍ଥଳରେ ଖରଡଗିରି ପୋଲିସ ପହଁଚି ପରିସ୍ଥିତିକୁ ଆୟତ କରିବାକୁ ଉଦ୍ୟମ କରିଥିଲା । ହେଲେ ଉତ୍ୟକ୍ତ ଲୋକଙ୍କ ଟେକାମାଡରେ ଖଣ୍ଡଗିରି ଥାନା ଆଇଆଇସିଙ୍କ ମୁହଁ ଫାଟିଯାଇଥିବା ଜଣାପଡିଛି । ତିନି ପୋଲିସ କର୍ମଚାରୀ ମଧ୍ୟ ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଗାଡ଼ି ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁବୃର୍ତ । ଏହା ପରେ ଲାଠିଚାର୍ଜ କରିଛି ପୋଲିସ । ଘଟଣାସ୍ଥଳରେ ପ୍ରବଳ ଉତେଜନା ଲାଗି ରହିଛି । ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି ।