ଜବରଦଖଲରେ ହସ୍ପିଟାଲ୍ ! ଆୟୁର୍ବେଦିକ ଡାକ୍ତରଖାନାରେ ବର୍ଷ ବର୍ଷ ଧରି ଆଡ୍ଡା ଜମାଇଛନ୍ତି ନକଲି ରୋଗୀ

31

କନକ ବ୍ୟୁରୋ : ଡାକ୍ତରଖାନା ଅଛି, କିନ୍ତୁ ତା ଭିତରେ ନାହାନ୍ତି ପ୍ରକୃତ ରୋଗୀ । ବର୍ଷ ବର୍ଷ ଧରି ବଲାଙ୍ଗିର ସ୍ଥିତ ସରକାରୀ ଆୟୁର୍ବେଦିକ୍ ହସ୍ପିଟାଲରେ ରହିଆସୁଛନ୍ତି କେତେକ ପରିବାର । ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ସହାୟତାକୁ ହଡପ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଏପରି ନକଲି ରୋଗୀ ରଖିଥିବା ଅଭିଯୋଗ ହେଉଛି । ହେଲେ ଏନେଇ କୌଣସି ଉତ୍ତର ଦେବାକୁ ସେମାନେ ପ୍ରସ୍ତୁତ ନୁହନ୍ତି ।

ବଲାଙ୍ଗିର ସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ମାଶାରଦା ଆର୍ୟୁବେଦିକ ଚିକିତ୍ସାଳୟ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏହି ଡାକ୍ତରଖାନା । ଏଠାରେ ବର୍ଷ ବର୍ଷ ଧରି କେତେକ ପରିବାର ରୋଗୀ ଭାବରେ ଆଡ୍ଡା ଜମାଇଛନ୍ତି । ଏପରିକି ସେମାନେ ଆଖପାଖ ହୋଟେଲ ଓ ଘରେ କାମ କରନ୍ତି । ବଜାରରେ ପରିବା ବେପାର କରୁଥିବା ଅଭିଯୋଗ ହେଉଛି । ଅବଶ୍ୟ କ୍ୟାମେରା ଆଗରେ ସେମାନେ ଗତ ୩-୪ ମାସ ହେଲା ଚିକିତ୍ସା ପାଇଁ ରହୁଥିବା କହୁଛନ୍ତି ।

ଏହି ପୁରାତନ ଆୟୁର୍ବେଦ ଡାକ୍ତରଖାନାରେ ମାଗଣା ଖାଇବା ବ୍ୟବସ୍ଥା ରହିଛି ଏବଂ ନକଲି ରୋଗୀଙ୍କ ନାଁରେ ଏହି ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଏନେଇ ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି, ବର୍ଷ ବର୍ଷ ଧରି ଏଠାରେ ନକଲି ରୋଗୀ ରହୁଥିଲେ ମଧ୍ୟ ଡାକ୍ତରଖାନା କର୍ତୃପକ୍ଷ କେମିତି ଚୁପ୍ ବସିଛନ୍ତି ? ଏ ବିଷୟରେ ଆମେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ରାଜି ହୋଇନଥିଲେ ।