ରାଜଧାନୀରେ ଶିଶୁ ବଳି ! ମଞ୍ଚେଶ୍ୱର ଷ୍ଟେସନରୁ ମାତ୍ର ୨୦୦ ମିଟର ଦୂରରୁ ମିଳିଲା କ୍ଷତବିକ୍ଷତ ଶରୀର

ରାଜଧାନୀରେ ଶିଶୁ ବଳି! ଶିଶୁ କନ୍ୟାକୁ ବଳି ଦିଆଯିବା ପରେ ଫିଙ୍ଗି ଦିଆଯାଇଛି ମୃତଦେହ

116

କନକ ବ୍ୟୁରୋ : ରାଜଧାନୀରେ ଶିଶୁ ବଳି! ଶିଶୁ କନ୍ୟାକୁ ବଳି ଦିଆଯିବା ପରେ ଫିଙ୍ଗି ଦିଆଯାଇଛି ମୃତଦେହ। ମଞ୍ଚେଶ୍ୱର ଷ୍ଟେସନରୁ ମାତ୍ର ୨୦୦ ମିଟର ଦୂର କାଳୀକ୍ଷମା ପୋଲ ନିକଟ ଦୟାୱେଷ୍ଟ୍ କେନାଲ୍ ବନ୍ଧ ତଳୁ ଏକ ୧୦ ମାସର ଶିଶୁକାନ୍ୟାର ମୃତଦେହ ଉଦ୍ଧାର ହେବା ପରେ ଏଭଳି ଚର୍ଚ୍ଚା ଚାଲିଛି। ମୃତଦହେରେ ୭ରୁ ଅଧିକ କ୍ଷତ ଚିହ୍ନ ରହିଛି। ମୁହଁକୁ ଛେଚି ବିକୃତ କରି ଦିଆଯାଇଛି। ଗୋବିନ୍ଦ ବେହେରା ନାମକ ଜଣେ ବ୍ୟକ୍ତି ଗାଈ ଚରାଇବା ବେଳେ ଶିଶୁକନ୍ୟାର ମୃତଦେହ ଦେଖି ପୁଲିସକୁ ଖବର ଦେବା ପରେ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ତନାଘନା କରିଛି। ହେଲେ ଶବକୁ ଚିହ୍ନଟ କରାଯାଇପାରି ନାହିଁ। ଶବ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଏ ନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ରନାଥ ସେଠୀ କହିଛନ୍ତି, କୌଣସି କାରଣରୁ ଶିଶୁଟିର ମୃତ୍ୟୁ ହୋଇଯିବା ପରେ କେହି ଏଠାରେ ଫିଙ୍ଗି ଦେଇଛି। ମୃତଦେହ ପଚି ଯାଇଥିବା ବେଳେ ଦେହରେ ଥିବା କ୍ଷତ ଚିହ୍ନ ପଶୁର କାମୁଡ଼ା ଦାଗ ବୋଲି ଅନୁମାନ କରାଯାଉଛି। ହେଲେ ସ୍ଥାନୀୟ ଲୋକ ପୁଲିସ୍ କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଉକ୍ତ ସ୍ଥାନରେ କେହି ତନ୍ତ୍ର ବିଦ୍ୟା ଶିକ୍ଷା କରିବା ସହିତ ଶିଶୁଟିକୁ ଅନ୍ୟ କେଉଁଠାରୁ ଆଣି ଏଠାରେ ବଳି ଦେଇଛି। ଏହାର ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଲୋକ କହିଛନ୍ତି। ପୂର୍ବରୁ ଅନେକ ସମୟରେ କାଳୀକ୍ଷମା ବ୍ରିଜ୍ ନିକଟରେ ରାତି ଅଧରେ କିଛି ଯୁବକ ତନ୍ତ୍ର ବିଦ୍ୟା ଶିକ୍ଷା କରୁଥିବା ବେଳେ ଧରା ପଡ଼ିଥିବା ଲୋକେ କହିଛନ୍ତି।