ରାଜଧାନୀରୁ ୩ କେଜି ଗଞ୍ଜେଇ ଜବତ ! ୪ ଜଣ ଇଞ୍ଜିନିୟରିଂ ଛାତ୍ର ଅଟକ, ପୋଲିସ ଛାନଭିନ୍ ଜାରି ।

58

ରାଜଧାନୀରେ ଚୋରା ଗଞ୍ଜେଇ କାରବାର ଚଳାଇଥିବା ଅଭିଯୋଗରେ ସୋମବାରଠାରୁ ଖଣ୍ଡଗିରି ଥାନା ପୁଲିସ ୪ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ଅଟକ ରଖି ଛାନଭିନ୍ ଚଳାଇଛି । ସେମାନେ ହେଲେ କନ୍ଧମାଳର ରାମଚନ୍ଦ୍ର ଦିଗଲ, ନବରଙ୍ଗପୁରର ସନ୍ତୋଷ ହରିଜନ, ବୋରିଗୁମ୍ମାର ଭେଙ୍କଟସାଇ ପଟ୍ଟନାୟକ ଓ କୋରାପୁଟ ଇନ୍ଦ୍ରାବତୀ ଅଞ୍ଚଳର ହିତେଶ । ହିତେଶ ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ବୋଲି ସ୍ପଷ୍ଟ ହୋଇଥିବାବେଳେ ଅନ୍ୟମାନଙ୍କ ବାବଦରେ ପୁଲିସ କିଛି ସୂଚନା ଦେଇନାହିଁ । ତେବେ ପାତ୍ରପଡ଼ା କଳିଙ୍ଗବିହାରସ୍ଥିତ ଏକ ହଷ୍ଟେଲରୁ ଏହି ଛାତ୍ରମାନେ ଧରାପଡ଼ିଥିବା ସୂଚନା ମିଳିଛି ।

ସେମାନଙ୍କଠାରୁ ୨ଟି ପୁଡ଼ିଆରେ ଥିବା ପ୍ରାୟ ୩ କେଜି ଗଞ୍ଜେଇ ଜବତ କରାଯାଇଛି । ସୂଚନାନୁସାରେ ପାତ୍ରପଡ଼ା ମହାରାଜା କ୍ରିକେଟ୍ ଖେଳପଡ଼ିଆ ନିକଟରେ ୪ ଜଣ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ସ୍ଥାନୀୟ କିଛି ଯୁବକଙ୍କ ସନ୍ଦେହ ହୋଇଥିଲା । ସେମାନେ ଉକ୍ତ ୪ ଜଣଙ୍କୁ ପଚରାଉଚରା କରିବାରୁ ପ୍ରକୃତ କଥା ଜଣାପଡ଼ିଥିଲା । ସେମାନଙ୍କ ନିକଟରୁ ଏକ ଗଞ୍ଜେଇ ଭର୍ତି ପ୍ୟାକେଟ୍ ମିଳିବା ପରେ ସ୍ଥାନୀୟ ଯୁବକମାନେ ଖଣ୍ଡଗିରି ଥାନା ପୁଲିସକୁ ଜଣାଇଥିଲେ । ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ହଷ୍ଟେଲରେ ଆଉ ଗୋଟିଏ ପୁଡ଼ିଆ ରଖିଥିବା ମାନି ଯାଇଥିଲେ । ପରେ ପୁଲିସ ସେମାନଙ୍କ ସହ ହଷ୍ଟେଲ ୱାର୍ଡେନକୁ ନେଇ ତଦନ୍ତ କରିଥିଲା । ପରେ ଉକ୍ତ ୱାର୍ଡେନଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି ।