୪ ବର୍ଷର ଶିଶୁ କନ୍ୟାକୁ ବଳି ଦିଆଯାଇଥିବା ସନ୍ଦେହ ! ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର

ପଡ଼ିଶା ଘରର ସାଙ୍ଗ ମୁନା ମାଝୀକୁ ଡାକି ଆଖପାଖରେ ଖୋଜିଥିଲେ। ହେଲେ ଇନ୍ଦୁକୁ ପାଇନଥିଲେ। ବୁଧବାର ସକାଳୁ ଗାଁ ମୁଣ୍ତ ରାସ୍ତା କଡ଼ରେ ଇନ୍ଦୁର ରକ୍ତ ଜୁଡୁବୁଡୁ ଶବ ପଡିଥିବା ଖବର ମିଳିଥିଲା

133

କନକ ବ୍ୟୁରୋ : କଳାହାଣ୍ଡିରେ ଶିଶୁକନ୍ୟାକୁ ବଳି! ଏଭଳି ଏକ ଖବରକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି। ଘଟଣାର ତଦନ୍ତ ଚାଲିଛି। ମୃତ ଶିଶୁକନ୍ୟା ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ବନ୍ଧପାରି ପଞ୍ଚାୟତ ବାଲିସରା ଗାଁର ସାନ୍ଦୁର ମାଝୀଙ୍କ ଝିଅ ଇନ୍ଦୁ। ବୟସ ମାତ୍ର ୪ ବର୍ଷ। ଗତ ରାତିରେ ସେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାକୁ ଉଠାଇ ନେଇଥିଲା। ପରେ ଗାଁ ମୁଣ୍ତ ରାସ୍ତା କଡ଼ରୁ ଇନ୍ଦୁର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଥିଲା। ପ୍ରାଥମିକ ତଦନ୍ତ ପରେ ଇନ୍ଦୁକୁ ଗୁଣି ଗାରେଡ଼ି ଯୋଗୁଁ ହତ୍ୟା କରାଯାଇଥିବା କିମ୍ବା ବଳି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।

 

ସୂଚନାଯୋଗ୍ୟ ଗତକାଲି ସାନ୍ଦୁରଙ୍କ ବଡ଼ଶଳା ଖିରସା ମାଝୀଙ୍କ ସ୍ତ୍ରୀ ତିଳ ମାଝୀ ଆତ୍ମହତ୍ୟା କରିବା ଖବର ପାଇ ସାନ୍ଦ୍ରୁ ଓ ତାଙ୍କ ସ୍ତ୍ରୀ ମାତି ମାଝୀ ସ୍ଥାନୀୟ ମାଟିଖଳା ଗାଁକୁ ଯାଇଥିଲେ। ସେଠାରେ ରାତି ହେବାରୁ ଫେରି ନପାରି ରହି ଯାଇଥିଲେ। ଏପଟେ ଘରେ ଇନ୍ଦୁ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନପୁଅ କୃଷ୍ଣ ଥିଲେ। ଭାଇ-ଭଉଣୀ ରାତିରେ ଖାଇପିଇ ଶୋଇ ଯାଇଥିଲେ। ତେବେ ରାତିରେ କୃଷ୍ଣର ନିଦ ଭାଙ୍ଗି ଯିବାରୁ ଘରେ ଇନ୍ଦୁ ନଥିବା ଦେଖିବାକୁ ପାଇଥିଲା। ପଡ଼ିଶା ଘରର ସାଙ୍ଗ ମୁନା ମାଝୀକୁ ଡାକି ଆଖପାଖରେ ଖୋଜିଥିଲେ। ହେଲେ ଇନ୍ଦୁକୁ ପାଇନଥିଲେ। ବୁଧବାର ସକାଳୁ ଗାଁ ମୁଣ୍ତ ରାସ୍ତା କଡ଼ରେ ଇନ୍ଦୁର ରକ୍ତ ଜୁଡୁବୁଡୁ ଶବ ପଡିଥିବା ଖବର ମିଳିଥିଲା। ଖବର ପାଇ ବାପ-ମା’ ଆସିବା ପରେ ଥାନାରେ ଅଭିଯୋଗ କରିଥିଲେ। ବିଶ୍ବନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଘଟଣାସ୍ଥଳରେ ଅତିରିକ୍ତ ଏସପି ମନୋଜ ମହନ୍ତ ଓ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ବର ଭୋଇ ମଧ୍ୟ ପହଞ୍ଚିଥିଲେ। ସନ୍ଧାନୀ କୁକୁରର ମଧ୍ୟ ସହାୟତା ନେଇଥିଲା ପୁଲିସ। ଘର ବାଡିପଟୁ କେହି ଦୁର୍ବୃତ୍ତ ପଶି ଇନ୍ଦୁକୁ ଉଠାଇ ନେଇଥିବା ସ୍ପଷ୍ଟ ହୋଇଥିଲା। ଏ ନେଇ ତଦନ୍ତ ଜାରି ରହିଛି।