ପଦ୍ମାବତୀ ସିନେମାର ରିଲିଜ ତାରିଖ ଘୁଞ୍ଚାଇବା ପାଇଁ ଦାବି କଲା ଭାଜପା !

44

ବହୁ ବାଦ ବିବାଦ ପରେ ତିଆରି ହୋଇଛି ସିନେମା ‘ପଦ୍ମାବତୀ’ । ତେବେ ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’ର ରିଲିଜ୍ ତାରିଖ ଘୁଞ୍ଚିଯାଇଛି । ଲୋକପ୍ରିୟ ସିନେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ସିନେମା ଆଗାମୀ ଡିସେମ୍ବର ୧ ତାରିଖରେ ପରଦାକୁ ଆସୁଛି । କିନ୍ତୁ ଏହାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଏ କେ ଜାଡେଜା କହିଛନ୍ତି ଯେ ଗୁଜୁରାଟରେ ଆଗାମୀ ଡିସେମ୍ବର ୯ରୁ ୧୪ ତାରିଖ ଭିତରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ‘ପଦ୍ମାବତୀ’ ରିଲିଜ୍ ହେଲେ ରାଜ୍ୟରେ ଭୟାବହ ପରିସ୍ଥିତି ଉପୁଜିପାରେ ବୋଲି ସେ ଆଶଙ୍କା କରିଛନ୍ତି । ଏହି ସିନେମାରେ ରାଜପୁତ ସଂପ୍ରଦାୟର ଭାବନାକୁ ଆଘାତ କରିବାଭଳି କିଛି ପ୍ରସଙ୍ଗ ରହିଛି ।

ଏଥିରେ ରାଣୀ ପଦ୍ମାବତୀ ଆଲ୍ଲାଉଦିନ ଖିଲଜୀକୁ କେବେ ଭେଟି ନଥିବା ସତ୍ତ୍ୱେ ତାହା ଦର୍ଶାଯାଇଛି । ଏଣୁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାକୁ ଅଥବା ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାଜପା ପକ୍ଷରୁ ଦାବି କରାଯାଇଛି । ‘ପଦ୍ମାବତୀ’ର ରିଲିଜ୍ ଆଗରୁ ଏହାର ପ୍ରି ସ୍କ୍ରିନିଂ କରାଯାଇ ରାଜପୁତ ସଂପ୍ରଦାୟର ପ୍ରତିନିଧିମାନଙ୍କୁ ଦେଖାଇବାକୁ ବି ଦାବି ହୋଇଛି । ଏ ସଂକ୍ରାନ୍ତରେ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ମଧ୍ୟ ପତ୍ର ଦିଆଯାଇଥିବା ଜଣାଯାଇଛି ।