ସେକ୍ସ ସିଡି ବିବାଦ : ଆଜି ବିଜେପି ଘେରିବ କମିଶନରେଟ୍ ପୁଲିସ ଅଫିସ

148

କନକ ବ୍ୟୁରୋ : ବିବାଦୀୟ ସେକ୍ସ ସିଡିକୁ ନେଇ ଜୋର୍ ଧରିଲା ରାଜନୀତି । ସେକ୍ସ ସିଡିରେ ବିଏମସି ମେୟର ଅନନ୍ତ ନାରାୟଣ ଜେନା ଥିବା ନେଇ ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି କମିଶନରେଟ୍ ପୁଲିସ ଅଫିସ ଘେରାଉ କରାଯିବ । ମେୟର ,ମୁଖ୍ୟମନ୍ତ୍ରୀଙ୍କ ଅନ୍ତରଂଗ ଏବଂ ବିଜେଡିର ଛାମୁଆ ନେତା ହୋଇଥିବାରୁ ତାଂକୁ ସୁରକ୍ଷା ଯୋଗାଇଦିଆଯାଉଛି ବୋଲି ଅଭିଯୋଗ ହୋଇଛି ।

ଏଥିସହ ୬ ମାସ ତଳେ ଘଟିଥିଲା ଋଷି ହତ୍ୟାକାଣ୍ଡ ମାମଲାରେ ମେୟର ସଂପୃ୍କ୍ତ ଥିବା ବିଜେପି ଅଭିଯୋଗ କରିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି । ଖାଲି ସେତିକି ନୁହେଁ ଋଷିର ମୃତ୍ୟୁ ପରେ ଡ୍ରଗ୍ସ ବେପାରୀ ସେକ୍ ମମତାଜକୁ ପୋଲିସ ଛାଡି ଦେବା ପଛରେ ବି ମେୟରଙ୍କ ହାତ ଥିବା ଦଳ ଅଭିଯୋଗ କରିଛି ।

ସେପଟେ ମିଥ୍ୟା ଭିଡିଓ ଜାରି କରି ତାଙ୍କ ସମ୍ମାନହାନୀ କରାଯାଇଥିବା ଅଭିଯୋଗ କରିଛନ୍ତି ମେୟର ଅନନ୍ତ ନାରାୟଣ ଜେନା । ତାଙ୍କ ବିରୋଧରେ ସମସ୍ତ ଅଭିଯୋଗ ମିଛ ଏବଂ କପୋଳକଳ୍ପିତ ବୋଲି ସେ କହିଛନ୍ତି । ଏଥିସହ କଂଗ୍ରେସ ସଭାପତି ଇତୀଶ ପ୍ରଧାନ ଓ ନିଆଁଖୁଂଟାର ସମ୍ପାଦକ ପ୍ରଦୀପ ପାଣ୍ଡେଙ୍କ ବିରୋଧରେ ଏତଲା ଦେଇଛନ୍ତି ମେୟର । ତୁରନ୍ତ ଦୁହିଁଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।

ଭିଡିଓ ଜାରି ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶହ ଶହ ସମର୍ଥକଙ୍କ ସହ କ୍ୟାପିଟାଲ ଥାନା ପରିସରରେ ମଧ୍ୟରାତ୍ର ଯାଏଁ ଧାରଣା ଦେଇଥିଲେ ମେୟର । ଅନନ୍ତଙ୍କ ସହ ବିଜେଡି ବିଧାୟକ, କର୍ପୋରେଟର ଏବଂ କର୍ମୀ ବି ସାମିଲ ହୋଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –