ବିଜେପିର ଚାଣକ୍ୟଙ୍କ ପରବର୍ତ୍ତୀ ଟାଗେର୍ଟ ଓଡ଼ିଶା ! ମିଶନ ୧୨୦ ପାଇଁ ଅମିତଙ୍କ ଦମ୍ଭୋକ୍ତି । ହସରେ ଉଡାଇଦେଲେ ପ୍ରଦୀପ ମହାରଥୀ, ବିଜେପି ପାଇଁ କଷିଲେ ନୂଆଅଙ୍କ

22

କନକ ବ୍ୟୁରୋ : ତ୍ରିପୁରା ବିଜୟ ପରେ ଖୁସିର ଲହରୀ ଖେଳିଯାଇଛି ବିଜେପି ଶିବିରରେ । ଏଥର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଖି ଓଡ଼ିଶା ଉପରେ । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ କେରଳରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ବିଜେପିର ୧୨୦ ମିଶନକୁ ହସରେ ଉଡାଇ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ସେ କହିଛନ୍ତି, ବିଜେପିର ୧୨୦ ସ୍ୱପ୍ନରୁ ଶୂନ ଉଡିଯିବ ।

ତ୍ରିପୁରାରେ ଦଳର ଜୋରଦାର ପ୍ରଦର୍ଶନ ପରେ ଉତ୍ସାହିତ ହୋଇପଡିଛି ବିଜେପି । ଦୀର୍ଘ ୨୦ ବର୍ଷ ପରେ ମାଣିକ ସରକାରଙ୍କ ପତନ ଘଟଇବା ପରେ ପୁଣି ଥରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳ ପରବର୍ତି ଟାର୍ଗେଟ ବୋଲି କହିଛନ୍ତି ଅମିତ ଶାହ । ଯେତେବେଳ ଯାଏଁ ଏଠାରେ ବିଜେପି ସରକାର ଆସିବନି ସେତେବେଳେ ଯାଏଁ ଦଳର ସୁବର୍ଣ୍ଣଯୁଗ ଆରମ୍ଭ ହେବନି ବୋଲି କହିଛନ୍ତି ଅମିତ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏଭଳି ବୟାନ ପରେ ମିଶନ ୧୨୦ ପାଇଁ ପୁଣିଥରେ ଦମ୍ଭ ଦେଖାଇଛି ବିଜେପି ।

ଓଡ଼ିଶାରେ ପଦ୍ମ ଖେଳିବ ବୋଲି ଅମିତ ଶାହା ଦୃଢୋକ୍ତି ଦେଖାଇଥିବା ବେଳେ ଏହାର ଜବାବ ରଖିଛି ବିଜେଡି । ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଉତ୍ତରପୂର୍ବାଞ୍ଚଳରେ ମୋଦିଙ୍କ ମ୍ୟାଜିକ ଯେଉଁଭଳି କାମ କଲା ତାହା ଓଡ଼ିଶାରେ ଦେଖିବାକୁ ମିଳିବ ନାହିଁ । ସୂର୍ଯ୍ୟଙ୍କ ସହ ତାଳ ମିଳାଇଛନ୍ତି ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ବିଜେପିର ୧୨୦ ମିଶନକୁ ନେଇ କଟାକ୍ଷ କରିବା ସହ ନିଜ ଷ୍ଟାଇଲରେ କଷିଛନ୍ତି ବିଜେପିର ୧୨୦ ଅଙ୍କ । ପ୍ରଦୀପ ବିଜେପିର ମିଶନ ୧୨୦ର ବାମ ଓ ଡାହାଣର ଅଙ୍କକୁ ନେଇ ଏକ ନୂଆ ଅଙ୍କ କଷିଛନ୍ତି । ପ୍ରଦୀନ କହିଛନ୍ତି ବିଜେପି ୧୨ କିମ୍ବା ୨୦ଟି ଆସନ ହାତେଇବାକୁ ସକ୍ଷମ ହେବ । ତାହାଠାରୁ ଗୋଟିଏ ବି ଅଧିକ ସିଟ୍ ପାଇବ ନାହିଁ ବିଜେପି ।

ତେବେ ପ୍ରଦୀପଙ୍କ ବୟାନ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ଦଳ କହିଛି ଉତ୍ତରପୂର୍ବାଞ୍ଚଳରେ ଦଳ ଯେଉଁଭଳି ସଫଳତା ପାଇଛି ଓଡ଼ିଶାରେ ମଧ୍ୟ ୨୦୧୯ରେ ତାହାର ପ୍ରତିଫଳନ ଦେଖିବାକୁ ମିଳିବ । ବିଜେପୁର ଉପନିର୍ବାଚନର ଜନାଦେଶ ଆସିବା ପରେ ବିଜେଡି ଶିବିର ଉତ୍ସାହିତ ହୋଇଥିବା ବେଳେ ତ୍ରିପୁରା ବିଜୟ ନୂଆ ବଳ ଭରିଦେଇଛି ବିଜେପି ନେତାଙ୍କ ଭିତରେ । ଆଉ ଏସବୁ ଭିତରେ ୨୦୧୯ ପାଇଁ ବିଜେଡି-ବିଜେପି ଲଢେଇ ଏବେଠୁ ଆରମ୍ଭ ହେଲାଣି ।