କଂଗ୍ରେସ ପରେ ବିଜେପି : ଜଷ୍ଟିସଙ୍କ ଇସ୍ତଫା ଓ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବହିଷ୍କାର ଦାବିରେ ବିଜେପିର ରାଜ୍ୟବ୍ୟାପି ବିକ୍ଷୋଭ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜରାସ୍ତାରେ ବିଜେପିର ରଣହୁଙ୍କାର । ଜଷ୍ଟିସ ଦାସ ଓ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ରାଜ୍ୟର ସବୁ ଜିଲ୍ଲାର ସଦର ମହକୁମାରେ ବିକ୍ଷୋଭ କରିଛି ବିରୋଧୀ ବିଜେପି । ଚିଟଫଣ୍ଡ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ବର୍ଷିଛନ୍ତି ବିଜେପି କର୍ମୀ । ପୁରୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କଲାବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ । ସେହିପରି କୋରାପୁଟରେ ବିଜେପି ନେତା ଓ କର୍ମୀମାନେ ବିଶାଳ ଶୋଭାଯାତ୍ରା କରିବା ସହ ମନ୍ତ୍ରୀ ଓ ଜଷ୍ଟିସ ଦାସଂକ କୁଶପୁତଳିକା ଦାହ କରିଥିଲେ ।  ସୁନ୍ଦରଗଡରେ ଭାରତୀୟ ଜନତା ପାର୍ଟିି ତରଫରୁ ବିଶାଳ ଗଣବିକ୍ଷୋଭର ଆୟୋଜନ ହୋଇଥିଲା । ଯେଉଁଥିରେ ସଞ୍ଜୟ ଓ ଜଷ୍ଟିସ ଦାସଙ୍କ କୁଶପୁତଳିକା ଦାହ କରିଥିଲେ କର୍ମୀ ।

ସେପଟେ ମାଲକାନଗିରିରେ ଜିଲ୍ଲା ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ହୋଇଛି ।  ଶତାଧିକ ବିଜେପି କର୍ମୀ ପୁରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ଢେଙ୍କାନାଳରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚିଟଫଣ୍ଡ ଜମାକାରୀକଂ ଉଦେ୍ଦଶ୍ୟରେ ଜଷ୍ଟିସ ଏମଏମ ଦାସକଂ ବିବାଦୀୟ ମନ୍ତବ୍ୟ ଜମାକାରୀଙ୍କ ମନରେ କୁଠାରଘାତ କରିଛି ବୋଲି ଦଳ ଅଭିଯୋଗ କରିଛି । ରାୟଗଡରେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଚିଟଫଣ୍ଡ କମିସନଙ୍କ ମନ୍ତବ୍ୟ ଜମାକାରୀଙ୍କ ହତୋତ୍ସାହିତ କରିଛି ,ତେଣୁ ସେ ଖୁବ ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି ।