ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଥ୍ୟା ତଥ୍ୟର ସୌଦାଗର : ରାଜ୍ୟ ବିଜେପି

41

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମିଥ୍ୟା ତଥ୍ୟର ସୌଦାଗର କହିଲା ରାଜ୍ୟ ବିଜେପି । ମହାନଦୀରେ କେଲୋ ପ୍ରକଳ୍ପ ସଂପର୍କରେ ଛତିଶଗଡ ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପତ୍ରର ଆଦାନପ୍ରଦାନ ହୋଇଥିବା ବିଜେପି ଉପସ୍ଥାପିତ କରିଛି ।

କେଲୋ ପ୍ରକଳ୍ପ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିନଥିବା କହିଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ। କିନ୍ତୁ ମହାନଦୀରେ ଛତିଶଗଡ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ପାଖରେ ସଂପୂର୍ଣ୍ଣ ତଥ୍ୟ ଥିବା ସରକାରୀ ପ୍ରମାଣ ବିଜେପି ପ୍ରକାଶ କରିଛି । ରାଜ୍ୟ ସରକାର ସତ ଲୁଚାଉଥିବା ବିଜେପି ଅଭିଯୋଗ କରିଛି । ୨୦୦୮ ଏପ୍ରିଲ ୧୦ରେ ଓଡିଶା ଅଫିସ ଚିଫ ଇଂଜିନିୟର,ପ୍ରୋଜେକ୍ ପ୍ଲାନିଂ ଏଣ୍ଡ ଫର୍ମୁଲେସନଙ୍କୁ ଏକ ପତ୍ର ଲେଖାଯାଇଥିଲା । ଏହି ପତ୍ରରେ କେଲୋ ପ୍ରକଳ୍ପର ପ୍ରାଜେକ୍ଟ ରିପୋର୍ଟ ବାବଦରେ ଓଡିଶାର ଏନଓସି ସମ୍ବନ୍ଧରେ ଓଡିଶାର ଇଂଜିନିୟରିଂ ଇନ ଚିଫ, ଜଳ ସଂପଦ ବିଭାଗ, ଓଡିଶା ସରକାରଙ୍କୁ ଅବଗତ କରାଯାଇଛି । ଏହା ସହ ଛତିଶଗଡ ସରକାରଙ୍କ ଅବଗତି ନିମନ୍ତେ ଏହି ପତ୍ରର ନକଲ ମଧ୍ୟ ଛତିଶଗଡ ସରକାରଙ୍କୁ ରାଜ୍ୟ ସରକାର ପ୍ରଦାନ କରିଥିବା ବିଜେପି ଉଲ୍ଲେଖ କରିଛି । ରାଜ୍ୟ ସରକାର ସବୁ ତଥ୍ୟ ପାଇ ମିଛ କହୁଥିବା ବିଜେପି ଅଭିଯୋଗ କରିଛି ।